• Friday, April 18, 2025

ନୟାଗଡ଼ ଜିଲ୍ଲାର ପ୍ରଥମ ଷ୍ଟ୍ରବେରି ଚାଷୀ ବିଷ୍ନୁପ୍ରିୟା

Subhadra Live:Farmers-get-success-in-Strawberry-farming-in-Nayagarh

 ନୟାଗଡ଼ ଜିଲ୍ଲାରେ ନୂଆ ହୋଇଛି ଷ୍ଟ୍ରବେରି ଚାଷ । ବାଲିଆ ମାଟି ଓ ଅନୁକୂଳ ଜଳବାୟୁ ଏହାକୁ ସୁହାଇଛି । ଉଦ୍ୟାନ କୃଷି ବିଭାଗର ପ୍ରୋତ୍ସାହନରେ ଜିଲ୍ଲାର ୩ ଜଣ ଚାଷୀ ସମୁଦାୟ ଏକ ଏକର ଜମିରେ କରିଛନ୍ତି ଷ୍ଟ୍ରବେରି । ପୂର୍ବରୁ ଦେଶୀ କାଙ୍କଡ଼ ଓ ଥାଇଲାଣ୍ଡ ବରକୋଳି କରି ସଫଳ ହୋଇଥିବା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସାମନ୍ତ ସିଂହାରପୁର ଗାଁର ବିଷ୍ନୁପ୍ରିୟା ଜେନା ଜିଲ୍ଲାର ପ୍ରଥମ ଷ୍ଟ୍ରବେରି ଚାଷୀ ଭାବେ ୨୫ ଡ଼ିସିମିଲ ଜମିରେ ଷ୍ଟ୍ରବେରି ଚାଷ କରି ପାଲଟିଛନ୍ତି ପ୍ରେରଣା । ବିଷ୍ନୁପ୍ରିୟା ଓ ତାଙ୍କର ସ୍ୱାମୀ ରମେଶ ପ୍ରଧାନ ପାରମ୍ପରିକ କୃଷି ବଦଳରେ ଲାଭଜନକ ଉଦ୍ୟାନ କୃଷିରେ ପୂର୍ବରୁ ନିୟୋଜିତ ଅଛନ୍ତି । ଅକ୍ଟୋବର ମାସରେ ଉଦ୍ୟାନ ବିଭାଗ ଠାରୁ  ୫ ହଜାର ଷ୍ଟ୍ରବେରି ଚାରା ଆଣି ରୋପଣ କରିଥିଲେ ରମେଶ ଓ ବିଷ୍ନୁପ୍ରିୟା । ବୁନ୍ଦା ଜଳସେଚନ ବ୍ୟବସ୍ଥା ସହିତ ମଳଚିଙ୍ଗ ପଦ୍ଧତିକୁ ନିଶ୍ଚିତତା କରି ହୋଇଥିଲା ଚାଷ । ନଭେମ୍ବର ମାସରେ ଫୁଲ  ଆସିବା ବେଳେ  ଜାନୁଆରୀ ଠାରୁ ଉତ୍ପାଦିତ ହେଉଛି ଫଳ । ମାର୍ଚ୍ଚ ଶେଷ ଯାଏଁ ଗଛରେ ରହିବ ଷ୍ଟ୍ରବେରି । ବଜାର ମିଳିଲେ ଜିଲ୍ଲାରେ ଅଧିକ ଚାଷୀ ଷ୍ଟ୍ରବେରି ଚାଷରୁ ହୋଇପାରନ୍ତେ ଲାଭବାନ ।

ମୟୁରଭଞ୍ଜରୁ ମାଲକାନଗିରି ,ନୂଆପଡାରୁ ନୟାଗଡ଼ ଓ କୋରାପୁଟରୁ କନ୍ଧମାଳ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଫଳ ହୋଇଛି ଷ୍ଟ୍ରବେରି ଚାଷ । ରାଜ୍ୟର ଅନେକ ଜିଲ୍ଲାରେ ଅକ୍ଟୋବର ଠାରୁ ମାର୍ଚ୍ଚ ଯାଏଁ ୨୫ରୁ ୩୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହୁଥିବାରୁ  ଷ୍ଟ୍ରବେରି ଚାଷକୁ ଏହା ସୁହାଇଛି । ଏହାର ଫାଇଦା ନେଇଛନ୍ତି ନୟାଗଡ଼ ରଣପୁର ସାମନ୍ତସିଂହାରପୁର ଗାଁର ଚାଷୀ ଦମ୍ପତ୍ତି ରମେଶ ଓ ବିଷ୍ନୁପ୍ରିୟା । ଆଧୁନିକ ଜ୍ଞାନ କୌଶଳରେ ଷ୍ଟ୍ରବେରି ଚାଷ କରି ନୟାଗଡ ବଜାରକୁ ସେମାନେ ପଠାଇଛନ୍ତି ନୂଆ ଫସଲ । ତେବେ ଗ୍ରାମୀଣ ବଜାରରେ ଏହି ଫଳର ଚାହିଦା ସୃଷ୍ଟି ହୋଇପାରିନାହିଁ । ଅଧିକ ଜମି ଓ ଅଧିକ ଚାଷୀ ଷ୍ଟ୍ରବେରି ଉତ୍ପାଦନ କଲେ ବାହାର ବଜାରକୁ ରପ୍ତାନି କରି ଚାଷୀର ଆୟକୁ ବଢ଼ାଯାଇପାରନ୍ତା ।

କୋଇଲା ଖଣିର ସାହସୀ ମହିଳା ଇଂଜିନିୟର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.