• Saturday, September 21, 2024

ଗୁଦଗୁଦା :ଯେଉଁଠି ପ୍ରକୃତି ଗଦେଇ ଦେଇଛି ସବୁ ସୁଷମା

Subhadra Live:Gudguda-Waterfall-A-Natures-Gift

କୁଚିଣ୍ଡା ଠାରୁ ୩୨ କିମି ଦୂରରେ ରହିଛି ଗୁଦଗୁଦା ଜଳ ପ୍ରପାତ । ଚାରିପଟେ ସବୁଜ ବନାନୀ ଓ ଆକାଶକୁ ମୁଣ୍ଡ ଟେକିଥିବା ମାଳମାଳ ପାହାଡ଼ ଭିତରୁ ବାହାରିଥିବା ଜଙ୍ଗଲୀ ଝରଣା ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ପ୍ରମୁଖ ଆକର୍ଷଣ । ରାଜ୍ୟରେ ବଣଭୋଜି ଋତୁ ଆରମ୍ଭ ହୋଇଥିବା ବେଳେ ଏଠାକୁ ଛୁଟିଛି ଆଗନ୍ତୁକଙ୍କ ସୁଅ ।

କୁଚିଣ୍ଡା ଉପଖଣ୍ଡର ଖଜୁରିଆ ସଂରକ୍ଷିତ ଜଙ୍ଗଲ । ଏଠାରେ ଘଞ୍ଚ ସବୁଜ ବନାନୀ ସାଙ୍ଗକୁ ସୁଉଚ୍ଚ ପାହାଡ଼ ସୃଷ୍ଟି କରିଛି ଶାନ୍ତ ସ୍ନିଗ୍ଧ ପରିବେଶ । ପାହାଡ଼ର ଶିଳାଖଣ୍ଡ ଦେଇ ଏଠାରେ ପ୍ରବାହିତ ହେଉଛି ଗୁଦଗୁଦା ଜଳ ପ୍ରପାତ । ପ୍ରପାତର ଜଳ ଧାରାକୁ ନିୟନ୍ତ୍ରିତ କରିବା ପାଇଁ ତିଆରି ହୋଇଛି  କୁଣ୍ଡ । ଗୋଟିଏ ପାର୍ଶ୍ୱରେ ଶୀତଳ ଜଳପ୍ରପାତ ଓ ଅନ୍ୟପଟେ ନିଘଞ୍ଚ ଜଙ୍ଗଲ ପାଲଟିଛି ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ । ସମ୍ବଲପୁରରୁ ଏଠାକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ କହନ୍ତି ଗୁଦଗୁଦାର ପରିବେଶ ଅତ୍ୟନ୍ତ ମନୋରମ । ସାର ଓ ସାଙ୍ଗ ମାନଙ୍କ ସହ ଏଠାକୁ ଆସି ଭରପୁର ମଜା ନେଲୁ । ଅନ୍ୟ ଜଣେ ପର୍ଯ୍ୟଟକ ଜୟୀରାମ ସ୍ୱାଇଁ କହନ୍ତି ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହିବା ପାଇଁ ବ୍ୟବସ୍ଥା କଲେ ଦୂରଦୂରାନ୍ତର ପର୍ଯ୍ୟଟକ ମାନେ ପ୍ରକୃତିକୁ ଅଧିକ ଉପଭୋଗ କରିପାରନ୍ତେ ।

ଦୁଇପଟେ ଜଙ୍ଗଲ, ମଝିରେ ଅଂକାବଂକା ପାଦଚଲା ରାସ୍ତା । ପର୍ଯ୍ୟଟକ ମାନେ ଦଳବାନ୍ଧି ଏଠାରେ ପାହାଡି ରାସ୍ତାରେ ବୁଲି ବୁଲି ବଣ୍ୟ ଜୀବନକୁ ଉପଭୋଗ କରିଥାନ୍ତି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କାଠର ରଙ୍ଗରେ ନିର୍ମିତ ହୋଇଛି ପ୍ରବେଶପଥ ଓ କୃତ୍ରିମ ପାହାଡି ଗୁମ୍ଫା । ତୋରଣ ନିକଟରେ ବଣ୍ୟ ଜନ୍ତୁଙ୍କ ଚିତ୍ର ବଢ଼ାଇଛି ଏହାର ଶୋଭା । ନିର୍ମିତ ପିଣ୍ଡି ଉପରେ ଚାଲିଛି ଭୋଜି ପ୍ରସ୍ତୁତି । ପରିବାର ସହିତ ବୁଲି ଆସିଥିବା ପିଲାମାନେ ଦୋଳିରେ ଝୁଲୁଥିବା ବେଳେ ତରୁଣୀ ମାନେ ପ୍ରପାତ ନିକଟରେ ନେଉଛନ୍ତି ସେଲ୍ଫି । ଜଙ୍ଗଲ ,ଝରଣା ଓ ପାହାଡ଼ର ଶୋଭା ଦେଖିବା ପାଇଁ ତିଆରି ହୋଇଛି ମଞ୍ଚା । ପ୍ରକୃତି ଏଠାରେ ଗଦେଇ ଦେଇଛି ଅପରୂପ ସୁଷମା । ଏହି ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ପାଇଁ ପୋଲିସର ସହଯୋଗ ନେଇଛି ବନ ସଂରକ୍ଷଣ ସମିତି । ସମିତିର ସଭାପତି ଦଧିଶଙ୍କର ପଟେଲ କହିଛନ୍ତି ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି ତେଣୁ ପ୍ରଶାସନ ଏଠାରେ ଏକ ପ୍ରମୋଦ ଉଦ୍ୟାନ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଆବଶ୍ୟକ ।  ପ୍ରପାତ ନିକଟକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଗଲେ ଏହାର ଅଧିକ ମଜା ନେଇହୁଅନ୍ତା ବୋଲି କହିଛନ୍ତି ଜଣେ ପର୍ଯ୍ୟଟକ ଚିରଞ୍ଜିବି ବିଶ୍ୱାଳ ।

ଗୁଦଗୁଦା ଭଳି ବଣଭୋଜି ସ୍ଥଳ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ହୋଇପାରିଲେ ପର୍ଯ୍ୟଟନ ଶିଳ୍ପରୁ ଅଧିକ ସମ୍ବଳ ଯୋଗାଡ଼ ହୋଇପାରନ୍ତା ।

ଅଧିକ ପଢ଼ନ୍ତୁ:  ବୁଲି ଆସନ୍ତୁ ସିକିମ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.