ମରୁଡି ,ଶସ୍ୟହାନୀ ,ଏବଂ କାମ ଅନ୍ୱେଷଣରେ ପଳାୟନ ଭଳି ଅପଖ୍ୟାତି ମୁଣ୍ଡାଇଥିବା କଳାହାଣ୍ଡିର କୃଷି ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି କୃଷି ଉଦ୍ୟୋଗୀ ଜୟନ୍ତୀ ମହାପାତ୍ର । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ପେଷାଦାର ପାଠ୍ୟକ୍ରମ ଏମ ବି ଏ ଶେଷକରି ଜୟନ୍ତୀ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ । କିନ୍ତୁ କୃଷି ପ୍ରତି ଦୁର୍ବଳତା ଥିବାରୁ ସେ ମୋଟା ଅଙ୍କର ଚାକିରୀ ଛାଡି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସାଲେଭଟା ଠାରେ ୨୦୧୫ ମସିହାରେ ଆରମ୍ଭ କରିଥିଲେ କୃଷି ଷ୍ଟାର୍ଟଅପ ମାଣିକସ୍ତୁ ଏଗ୍ରୋ ପ୍ରାଇଭେଟ ଲିମିଟେଡ଼ ।
ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ନାଁରେ ଗଠିତ ଏହି ଷ୍ଟାର୍ଟଅପ ଜିଲ୍ଲାର ଅସଂଗଠିତ ଛେଳି ଚାଷୀ ମାନଙ୍କୁ ସଂଗଠିତ କରି ଛେଳି ଚାଷରେ ଉନ୍ନତି ଆଣିବା ସହିତ ଉଦ୍ୟାନକୃଷିକୁ ଲାଭଦାୟୀ କରାଇବାର ଦାୟିତ୍ୱ ନେଇଥିଲା । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପ୍ରତିଷ୍ଠାତା ଜୟନ୍ତୀ ମହାପାତ୍ର ଏହି କୃଷି ପ୍ରଯୁକ୍ତି ଷ୍ଟାର୍ଟଅପକୁ ନୂଆ ଦିଶା ଦେଇଛନ୍ତି । ଛେଲିଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ସହିତ ଏହି କମ୍ପାନୀ ଅତ୍ୟାଧୁନିକ ଓ ବିଜ୍ଞାନ ସମ୍ମତ ଉପାୟରେ ଛେଳି ପାଳନ ଏବଂ ଛେଳି ଛୁଆ ଜନ୍ମର କୌଶଳ ଶିକ୍ଷା ଦେବା ସହିତ ମାର୍କେଟିଙ୍ଗ କରିବାରେ ୬୦୦ କ୍ଷୁଦ୍ର ଛେଳି ଚାଷୀଙ୍କୁ ସହଯୋଗ କରୁଛି । ଭବାନୀପାଟଣା ,ଗୋଲାମୁଣ୍ଡା ଓ କେସିଙ୍ଗା ବ୍ଲକରେ ଏହି କମ୍ପାନୀ ହାଇଟେକ ଏଗ୍ରି ଫାର୍ମ ,ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ଜାରି ରଖିଛି । ଓଡ଼ିଶାର ସବୁଠୁ ବଡ଼ ଛେଳି ଫାର୍ମ ପରିଚାଳନା କରୁଥିବା ଏହି କମ୍ପାନୀ ପ୍ରକୃତି ଓ ପ୍ରଗତି ନାଁରେ ଦୁଇଟି କୃଷି ୟୁନିଟ ପରିଚାଳନା କରୁଛି । ପ୍ରକୃତି ଅଧୀନରେ ୧୦୦୦ ଭଲ ପ୍ରଜାତିର ଆମ୍ବ ଚାରା ରୋପଣ ହୋଇଥିବା ବେଳେ ୧୦୦୦ ସଜନା ଚାରା ରୋପିତ ହୋଇଛି । ନାନା ପ୍ରକାର ଫୁଲ ଚାଷ ସହିତ କରାଯାଇଛି ରୟାଲ ବେଙ୍ଗଲ ପ୍ରଜାତିର ଛେଳି ଫାର୍ମ । ଏଥିରୁ ଜୟନ୍ତୀ ନିଜର ନାଁ ଓ ଅର୍ଥ କମାଇବାରେ ସଫଳ ହୋଇଥିବା ବେଳେ ଗୋଟିଏ ଥର ଚାଷ କରି ଋତୁକାଳୀନ ସ୍ଥାନାନ୍ତରି ହେଉଥିବା ଜିଲ୍ଲାର କୃଷି ଶ୍ରମିକ ମାନେ ସଫଳ ଚାଷୀ ହେବାର ପ୍ରେରଣା ପାଇଛନ୍ତି ।
ଅଧିକ ପଢ଼ନ୍ତୁ : ପାହାଡ଼ ଛାତିରେ ମହିଳା ଚାଷୀଙ୍କ ପରିବା ଚାଷ