ପାହାଡ଼ ଛାତିରେ ସବୁଜ କ୍ଷେତ । କ୍ଷେତରେ ଫଳିଛି ଜାତିଜାତିକା ଫସଲ । ଗୋଟିଏ ଦୁଇଟି ଫସଲ ନୁହଁ । ଏକାଧିକ ଫସଲର ସମ୍ଭାର ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡ ଡୁରାହାଲ ପଂଚାୟତର ମାଳିଗୁଡା ଗାଁରେ । ଗାଁର ମହିଳା ଚାଷୀ ସୁମିତା ମାଳି ନିଜର ଶ୍ରମ ଓ ସ୍ବେଦ ଦେଇ ଲଗାଇଛନ୍ତି କୋବି ,ଗାଜର ,ରଙ୍ଗୀନ କ୍ୟାପ୍ସିକମ , ଟମାଟୋ ,ଧନିଆ ,ଲଙ୍କା ଭଳି ଅନେକ ପ୍ରକାର ଚାଷ ଦେଖିବାକୁ ମିଳୁଛି ସୁମିତାଙ୍କ କ୍ଷେତରେ ।
ପାହାଡ଼ ମୁଣ୍ଡରେ ସୁମିତାଙ୍କ ଗାଁ । ଗାଁ ଚାରିପଟେ ସବୁଜିମା ଭରା କ୍ଷେତ । ଆଉ କ୍ଷେତରେ ଦେଖିବାକୁ ମିଳୁଛି ଫସଲର ବିବିଧତା । ଏହି ଗାଁରେ ଅତୀତର ମଣିଷ ପାରମ୍ପରିକ ଚାଷକୁ ଜୀବିକା କରିଥିବା ବେଳେ ସୁମିତା ପେଷାଦାର ଢଙ୍ଗରେ କୃଷିକର୍ମ କରି ଜୀବିକା ନିର୍ବାହ କରୁଛନ୍ତି । ଆଗରୁ ଗୋଟିଏ ଦୁଇଟି ଚାଷ ମୁଖ୍ୟତଃ ଖାଦ୍ୟ ପାଇଁ କରାଯାଉଥିବା ବେଳେ ଏବେ ଖାଦ୍ୟ ସହିତ ଆୟ ଦେଉଥିବା ଫସଲ ଚାଷକୁ ଦେଇଛନ୍ତି ଗୁରୁତ୍ୱ । ସମୁଦ୍ର ପତନ ଠାରୁ ୪ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡ଼ ଡୁରାମାଲ ପଂଚାୟତର ମାଳିଗୁଡା ଗାଁର ଏହି ମହିଳା ପରିବା ଚାଷ ଦିଗରେ କରିଛନ୍ତି ମନୋଯୋଗ ।
ଦୁଇବର୍ଷ ହେଲା ଏଠାରେ ହେଉଛି ରଙ୍ଗୀନ କୋବି । ପାରମ୍ପରିକ ଧଳା କୋବିର ଚାହିଦା ନଥିବା ବେଳେ ଭଲ ଦରରେ ବିକ୍ରି ହେଉଛି ହଳଦିଆ ଓ ବାଇଗଣୀ ରଙ୍ଗର କୋବି । ପ୍ରଥମ ବର୍ଷ କୃଷି ବିଭାଗର ବିହନ ସହାୟତାରେ ରଙ୍ଗୀନ କୋବି ସଫଳ ହେବା ପରେ ଚଳିତ ବର୍ଷ ହାତରୁ ଖର୍ଚ୍ଚ କରି ଏଭଳି କୋବି ଲଗାଇଛନ୍ତି ଚାଷୀ । କୋବି ସହିତ ଲାଗିଛି ଗାଜର ,ଟମାଟୋ ,ପିଆଜ ,ମରିଚ ,ବିନ୍ସ ବାଇଗଣ ଆଉ ମକା । ପଥୁରିଆ ଟାଙ୍ଗରା ମାଟିରେ ଚାଷୀର ସ୍ବେଦ ଆଉ ଶ୍ରମ ମିଶି ସୃଷ୍ଟି ହୋଇଛି ସବୁଜିମା ।
ଅଧିକ ପଢ଼ନ୍ତୁ :ଗ୍ରାମୀଣ ମହିଳା ରଚିଲେ ଦୃଷ୍ଟାନ୍ତ, ୫ ଏକର ପଡିଆ ଜମିକୁ କଲେ ଚାଷପଯୋଗୀ