ପରିଣତ ବୟସରେ ହୋଇନାହାନ୍ତି ପ୍ରଲୋଭିତ । ୬ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମିକୁ ସରକାରୀ ସ୍କୁଲ ପାଇଁ କରିଦେଇଛନ୍ତି ଦାନ । ବୃତ୍ତିରେ ଜଣେ ସାଧାରଣ କିରାଣୀ ହେଲେ ହେଁ ପ୍ରଦର୍ଶିତ କରିଛନ୍ତି ବଡ଼ ହୃଦୟ । ସ୍କୁଲ ପାଇଁ ନିଜ ପୁର୍ବପୁରୁଷର ସମ୍ପତ୍ତିକୁ ତୁଚ୍ଛ କରି ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ପୁଡୁର ବାସିନ୍ଦା ୫୨ ବର୍ଷ ବୟସର ପୁରନମ । ପୁରନମଙ୍କ ସ୍ୱାମୀ ନାହାନ୍ତି । ୨୦୧୯ରେ ଘଟିଛି ତାଙ୍କର ପରଲୋକ । ସେ ଜଣେ ପରୋପକାରୀ ଥିଲେ । ୧୦ ବର୍ଷ ତଳେ ସେ ନିଜ ଗାଁରେ ସ୍କୁଲ ନିର୍ମାଣ ପାଇଁ ୩ କୋଟି ଟଙ୍କା ମୂଲ୍ୟର ଜମିକୁ ଦାନ ଦେଇଥିଲେ । ନିଜର ପତ୍ନୀ ଓ ଏକମାତ୍ର ଝିଅକୁ ଛାଡି ସେ ପରଲୋକ ପ୍ରାପ୍ତି କରିବା ପରେ ସଂସାର ନୌକାରେ ଝିଅକୁ ନେଇ ଆଗକୁ ବଢ଼ିଥିଲେ ପୁରନମ । ଅଚାନକ ଭାବେ ପୁରନମ ନିଜର ଏକ ମାତ୍ର ଝିଅ ୟୁ .ଜନନୀଙ୍କୁ ହରାଇବା ପରେ ଏକା ହୋଇଯାଇଥିଲେ । ପ୍ରଥମେ ସ୍ୱାମୀ ଓ ପରେ ପରେ ଝିଅକୁ ହରାଇ ସେ ଦୁଃଖରେ ଥିଲେ ସତ କିନ୍ତୁ ସାମାଜିକ କାର୍ଯ୍ୟକ୍ରମ ରୁ ନିଜକୁ ଦୁରେଇ ନ ଥିଲେ । ଏଭଳି ସମୟରେ ଗାଁରେ ଏକ ସରକାରୀ ହାଇସ୍କୁଲ ନିର୍ମାଣ ପାଇଁ ଜମିର ଆବଶ୍ୟକତା ପଡିଲା । ସ୍କୁଲ ପାଇଁ ଉପଯୁକ୍ତ ଜମି ମିଳୁନଥିବାରୁ ଲୋକଙ୍କ ଦାବି ପ୍ରଶାସନ ଶୁଣୁ ନ ଥିଲା । ଏକଥା ଶୁଣିବା ପରେ ସେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କୁ ଭେଟି ନିଜର ୧ ଏକର ୫୨ ସେଣ୍ଟ ଜମି ଯାହାର ବଜାର ମୂଲ୍ୟ ୭ କୋଟି ତାହା ଦାନ ଦେବାକୁ ଇଛା ଜଣାଇଲେ । ପରଲୋକ ପ୍ରାପ୍ତ ଝିଅର ନାଁରେ ସ୍କୁଲ କରିବାକୁ ଅଧିକାରୀଙ୍କ ନିକଟରେ ଅନୁରୋଧ କଲେ । ଜିଲ୍ଲା ଶିକ୍ଷା ଅଧିକାରୀ କେ .କାର୍ତ୍ତିଗା କହିଛନ୍ତି ଯେ ଏଭଳି ବଦାନ୍ୟ ବ୍ୟକ୍ତି ବିରଳ । ଯିଏକି ନିଜ ଗାଁର ପିଲାଙ୍କ ସ୍ୱାର୍ଥକୁ ଦେଖି ନିଜ ସ୍ୱାର୍ଥକୁ ଆଖି ବୁଜିଦେଇଛନ୍ତି ।