ସମୁଦ୍ରପତନ ଠାରୁ ୨୮୫୦ ଫୁଟ ଉଚ୍ଚ କୋରାପୁଟ ଜିଲ୍ଲା କୋଟିଆ ପଂଚାୟତର ପାହାଡିଆ ଜମିରେ ଫୁଟୁଛି ସୁଗନ୍ଧିତ ଚାମୋଲି । ଚାରିପଟେ ସବୁଜିମା ଭରା ପାହାଡ଼ ଓ ପାହାଡିଆ ଖାଲୁଆ ଜମିରେ ଛୋଟ ଅଥଚ ସୁନ୍ଦର ଏହି ଫୁଲ ଆଦିବାସୀ ମହିଳା ଚାଷୀଙ୍କୁ ଦେଉଛି ଅତିରିକ୍ତ ଆୟ । ଏହି ଫୁଲରୁ ନିଷ୍କାସିତ ହେଉଥିବା ତୈଳର ବଜାର ଭାଉ ଢେର ଅଧିକ । ଲିଟର ପ୍ରତି ଏହାର ଦର ୨୦ ହଜାରରୁ ଅଧିକ । ଏହା ସହିତ ଏହି ଫୁଲର ରହିଛି ଉଚ୍ଚ ମାନର ଔଷଧୀୟ ଗୁଣ । ଉତ୍ତରପ୍ରଦେଶର ଲଖନଉ ଠାରେ ଥିବା ଏରୋମା ରିସର୍ଚ୍ଚ ସେଣ୍ଟର ତଥା ରାଜ୍ୟ ଔଷଧୀୟ ବୃକ୍ଷଲତା ପରିଷଦର ମିଳିତ ପ୍ରୟାସରେ ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ପଟାଂଗୀ ବ୍ଲକ କୋଟିଆ ପଂଚାୟତର ୬ ଜଣ ମହିଳା ଚାଷୀଙ୍କୁ ଚିହ୍ନଟ କରାଯାଇ ପରୀକ୍ଷାମୂଳକ ଭାବେ କରାଯାଇଥିଲା ଚାମୋଲି ଚାଷ । ପାରମ୍ପରିକ ଫସଲ କରି ଜୀବିକା ନିର୍ବାହ କରୁଥିବା କୋଟିଆ ଅଂଚଳର ଚାଷୀ ଉଦ୍ୟାନ କୃଷି ବିଭାଗର ସହାୟତାରେ ଷ୍ଟ୍ରବେରି ଚାଷ କରି ସଫଳ ହେବା ପରେ ଏବେ ଥଣ୍ଡା ଜଳବାୟୁକୁ ସୁହାଉଥିବା ଭଳି କୃଷିକୁ ଦିଆଯାଉଛି ପ୍ରାଥମିକତା । ଆନ୍ଧ୍ର ସହିତ ସୀମା ବିବାଦକୁ ନେଇ ସର୍ବଦା ଖବରର ଶିରୋନାମାରେ ରହୁଥିବା କୋଟିଆ ପାଇଁ ଗର୍ବ କରିବାର ସୁଯୋଗ ସୃଷ୍ଟି କରିଛି କୃଷି ବିଭାଗ । ଲାଲ କନ୍ଧମୂଳ ,ସୁପ୍ରଭା ପ୍ରଜାତିର ଅଦା ଓ ଉନ୍ନତ କଦଳୀ ଚାଷରେ ସଫଳତା ପାଇଥିବା ପଟାଂଗୀ ଜଳବାୟୁ ବାସ୍ନାଯୁକ୍ତ ଚାମୋଲି ଚାଷ ପାଇଁ ଉପଯୁକ୍ତ ସାବ୍ୟସ୍ତ କରାଇଛି । ଧଳା ପାଖୁଡା ଓ ହଳଦିଆ କେଶର ଥିବା ଏହି ଫୁଲର ବାସ୍ନା ଓ ଔଷଧୀୟ ମୂଲ୍ୟ ଅଧିକ ଥିବାରୁ ସ୍ଥାନୀୟ ମହିଳା ଚାଷୀ ଏହାକୁ କରି ଲାଭବାନ କରାଇଛି ।