• Saturday, April 19, 2025

୩୦ ମହିଳାଙ୍କୁ ଜୀବିକା ଓ ପରିଚୟ ଦେଇଛି ଆଚାର

Subhadra Live:Pickle-Business-give-income-to-30-women-in-Mayurbhanj

 ସାମୁହିକ ଆଚାର ବ୍ୟବସାୟ ଦେଇଛି ପରିଚୟ । ବାର୍ଷିକ ୮୫ ଟନ ଆଚାର ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ଦିନେ ଯେଉଁ ମହିଳା ଘର କାମରେ ନିଜକୁ ନିୟୋଜିତ ରଖୁଥିଲେ ଆଜି ସେମାନେ ଦଳ ଗଢି ୧୦ଟି ଜିଲ୍ଲାର ଆହାର କେନ୍ଦ୍ରକୁ ଯୋଗାଉଛନ୍ତି ଆଚାର । ନିଜ ପାଇଁ ଏଭଳି ସଫଳ କାହାଣୀ ତିଆରି କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବାରିପଦା ପୌରପାଳିକା ୱାର୍ଡ ନମ୍ବର ୨୫ରେ ଥିବା ମା ଦୁର୍ଗା ସ୍ୱୟଂ ସହାୟକ ଦଳ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ମିଶନ ଶକ୍ତି ସହାୟତାରେ ଏହି ଦଳ ମୋ ଆଚାର ନାଁରେ ଆରମ୍ଭ କରିଛନ୍ତି ଆଚାର ଉଦ୍ୟୋଗ । ୨୦୨୧ରେ ଏହି ଦଳର ସଦସ୍ୟ ମାନେ କର୍ଣ୍ଣାଟକର ମହିଶୁର ଠାରେ ଥିବା ସିଏଫଟିଆରଆଇରୁ ତାଲିମ ନେଇ ୩ ପ୍ରକାରର ୧୦ କ୍ୟୁଣ୍ଟାଲ ଆଚାର କରି ବ୍ୟବସାୟରେ ଥାପିଥିଲେ ପାଦ । ଏବେ ଆଚାରର ପ୍ରକାର ଓ ପରିଣାମ ଢେର ବଢିଛି । ଆଚାର ରୁ ପରିଚୟ ସୃଷ୍ଟି ହେବା ସହିତ ହେଉଛି ବେଶ ଦୁଇ ପଇସା ରୋଜଗାର ।

ଉନ୍ନତ ଗୁଣବତ୍ତା ପାଇଁ ବଜାରରେ ବଢିଛି ମୋ ଆଚାରର ଚାହିଦା । ଏଠାରୁ ତିଆରି ରାଗ ,ଲୁଣି ,ଖଟା ଓ ମିଠା ଆଚାର ରାଜ୍ୟ ଭିତରେ ଓ ବାହାରେ ଲୋକପ୍ରିୟ ହୋଇଛି । ସୁନ୍ଦର ପ୍ୟାକରେ ପ୍ରସ୍ତୁତ ଏହି ଆଚାର ପଡୋଶୀ ରାଜ୍ୟର ରାଞ୍ଚି ଓ ପୁରୁଲିଆ ବଜାରକୁ ଯାଉଥିବା ବେଳେ ୧୦ଟି ଜିଲ୍ଲାର ଆହାର କେନ୍ଦ୍ର ସହିତ ବଡ଼ ବଡ଼  ମଲ ଓ ଗ୍ରୋସେରୀ ଆଉଟଲେଟରେ ଉପଲବ୍ଧ ହେଉଛି । ଆଚାରର ପ୍ରକ୍ରିୟାକରଣ ଠାରୁ ପ୍ୟାକିଂ ଯାଏଁ ବ୍ୟବହାର ହେଉଛି ମେସିନ । ମେସିନ,ଆସବାବ ଓ କଞ୍ଚାମାଲ କିଣିବା ପାଇଁ ଏହି ଦଳକୁ ୩୦ ଲକ୍ଷ ଟଙ୍କା ଋଣ ସହାୟତା ମିଳିଥିଲା । ପୌରପାଳିକା ଯୋଗାଇଥିଲା ଭିତ୍ତିଭୂମି ସୁବିଧା । ଦିନେ ଲେମ୍ବୁ ,ଲଙ୍କା ଓ ମିକ୍ସଡ଼ ଆଚାରରୁ ଆରମ୍ଭ ଏହି ଉଦ୍ୟୋଗ ଏବେ ଗାଜର ,ଲଙ୍କା ,ଟମାଟୋ,ରସୁଣ ,ଅଦା ,ଓଉ ଭଳି ମାସିକ ୭ ଟନ ଆଚାର ତିଆରିରେ ସକ୍ଷମ ହୋଇଛି । ଏହି ଉଦ୍ୟୋଗ ୩୦ ଜଣ ମହିଳାଙ୍କୁ ରୋଜଗାର ଦେବାରେ ସହାୟକ ହୋଇଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.