ଶ୍ରମ ଓ ନିଷ୍ଠାକୁ ପାଥେୟ କରି କୃଷିରେ ପରିବର୍ତ୍ତନ ଆଣିଛନ୍ତି ଝାରଖଣ୍ଡର ଦଳେ ମହିଳା । ସାମୁହିକ ଶ୍ରମଦାନ କରି ଗାଁର ପଡିଆ ପଡିଥିବା ୫ ଏକର ଜମିକୁ କରିଛନ୍ତି ଚାଷ ପାଇଁ ଉପଯୋଗୀ । ଯେଉଁ ଜମି ବର୍ଷ ବର୍ଷ ଧରି ପାଣି ଅଭାବରୁ କୌଣସି ପ୍ରକାର ଚାଷ ପାଇଁ ବ୍ୟବହାର ହୋଇପାରୁନଥିଲା ଏବେ ସେହି ଜମି ନିକଟରେ ପହଂଚି ପାରୁଛି ପାଣି । ପାଣି ସୁବିଧା ହୋଇଯିବା ପରେ ସେଠାରେ ହେଉଛି ଲଙ୍କା ,ବାଇଗଣ ଓ କଦଳୀ ଚାଷ । ପଡିଆ ଜମିରେ ସୁନାର ଫସଲ ଲହଡି ଭାଙ୍ଗୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଝାରଖଣ୍ଡ ରାଜ୍ୟ ପୂର୍ବ ସିଂ ଭୂମି ଗୁଡ଼ାବନ୍ଧା ବ୍ଲକ ଭାଲକି ପଂଚାୟତ ଅନ୍ତର୍ଗତ ସୁଡ଼ଙ୍ଗା ଗାଁରେ ।
ଉତ୍କଟ ଜଳସଂକଟ ଭୋଗୁଥିବା ଏହି ଗାଁର ୩୦୦ ମହିଳା ଏକାଠି ହୋଇ ଜଳ ବିଭାଜିକା ପ୍ରକଳ୍ପ ସହିତ ଜଡିତ ହୋଇଥିଲେ । ଗାଁରେ ଛୋଟ ଛୋଟ ଜଳ ଅମଳ ପ୍ରକଳ୍ପ ନିର୍ମାଣ ହେବା ସହିତ ଗଢାଯାଇଥିଲା ଜଳବ୍ୟବହାର କାରି ଦଳ । ଦଳର ସଦସ୍ୟ ମାନେ ପ୍ରତିଦିନ ୧ ଘଣ୍ଟା ଲେଖାଏଁ ଶ୍ରମଦାନ କରି ଗାଁର ୫ ଏକର ପଡିଆ ଜମିକୁ ଚାଷ ଉପଯୋଗୀ କରାଇବା ସହିତ ଉଦ୍ୟାନ କୃଷି ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ । ଜଳ ବ୍ୟବହାର କାରି ଦଳଙ୍କ ଉଦ୍ୟମରେ ଜମି ମୁଣ୍ଡରେ ପହଞ୍ଚିଥିଲା ଜଳ । ଜଳର ସଠିକ ପରିଚାଳନାକୁ ଦୃଷ୍ଟି ରଖି ବୁନ୍ଦା ଜଳସେଚନ ଜରିଆରେ ଫସଲ ଯୋଜନା ପ୍ରସ୍ତୁତ ହୋଇଥିଲା । ୩୦୦ ସଂଘଠିତ ମହିଳାଙ୍କ ପ୍ରୟାସ କାରଣରୁ ଗାଁରେ ବର୍ଷ ବର୍ଷର ଜଳସଂକଟ ଦୂର ହେବା ସହିତ ଆର୍ଥିକ ରୋଜଗାର ଦିଗରେ ସକ୍ଷମ ହୋଇଛନ୍ତି ଗ୍ରାମୀଣ ମହିଳା ।
ଅଧିକ ପଢ଼ନ୍ତୁ: ମହିଳା ଶକ୍ତି : ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉଚ୍ଚରେ ଷ୍ଟ୍ରବେରି ଚାଷ