ମାଓବାଦୀ କାର୍ଯ୍ୟକଳାପ କାରଣରୁ ଚର୍ଚ୍ଚାରେ ଥିବା ନୂଆପଡାର ସୁନାବେଢା ଅଭୟାରଣ୍ୟ ଅଂଚଳରୁ ଆସିଛି ଭଲ ଖବର । ହିଂସା ପାଇଁ ଖବରର ଶିରୋନାମା ପାଲଟୁଥିବା ଏହି ଅଂଚଳର ଦଳେ ମହିଳା ଚାଷକୁ ନୂଆ ଦିଶା ଦେଖାଇ ପାଲଟିଛନ୍ତି ପ୍ରେରଣା । ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉଚ୍ଚ ସୁନାବେଢା ଉପତ୍ୟକାରେ ନୂଆକରି ଷ୍ଟ୍ରବେରି ଚାଷ କରି ସେମାନେ ଲେଖିଛନ୍ତି ସଫଳ କାହାଣୀର ନୂଆ ଅଧ୍ୟାୟ । ଆଦିବାସୀ ମହିଳାଙ୍କ ଜୀବନରେ ମିଠା ଆଣିଛି ଷ୍ଟ୍ରବେରି ଚାଷ । ନୂଆପଡା ଜିଲ୍ଲାରେ ଦୁଇଜଣ ଚାଷୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ମିଠା ଫଳର ସ୍ୱାଦ ଏବେ ଦୁର୍ଗମ ଅଂଚଳର ମହିଳାଙ୍କ ନିକଟରେ ପହଂଚିଛି । ଚକୋଟିଆ ଭୁଂଜିଆ ଉନ୍ନୟନ ସଂସ୍ଥାର ସହଯୋଗରେ ନୂଆପଡାର ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟ ମାନଙ୍କୁ ମହାରାଷ୍ଟ୍ରର ମହାବଳେଶ୍ୱର ପରିଦର୍ଶନରେ ନିଆଯାଇ ଷ୍ଟ୍ରବେରି ଚାଷ ଓ ଏହାର ଆର୍ଥିକ ଉନ୍ନତି ବାବଦରେ ସଚେତନ କରାଯାଇଥିଲା । ସେଠାରୁ ଫେରିବା ପରେ ୨୦୨୩ରେ ପ୍ରଥମ କରି ସେମାନେ ଷ୍ଟ୍ରବେରି ଉତ୍ପାଦନ କରିବା ସହିତ ସିଧାସଳଖ ଲାଭ ପାଇଥିଲେ । ପାରମ୍ପରିକ ଧାନ ,ମାଣ୍ଡିଆ ,ମକା ,ଝୁଡୁଙ୍ଗ ତୁଳନାରେ ଷ୍ଟ୍ରବେରି ଚାଷରୁ ୪ଗୁଣା ଅଧିକ ଆୟ ସେମାନଙ୍କ ମନୋବଳକୁ ବଢାଇବାରେ ସହାୟତା କରାଇଥିଲା । ଏବେ ଏହି ଚାଷ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବା କହିଛନ୍ତି ଦଳର ଜଣେ ମୁରବି ।
ଅଧିକ ପଢ଼ନ୍ତୁ: ଜୀବିକାରେ ସଫଳ ମହିଳା ମାଛଚାଷୀ ରାଇମଣି