ବଜାରରେ ଭଳିକି ଭଳି ଚାଇନା କଣ୍ଡେଇର ଭିଡ଼ ଦେଖିବାକୁ ମିଳୁଛି । ଚାବି ମୋଡିଲେ କିଏ ଗଡୁଛି ତ ଆଉ କେଉଁ କଣ୍ଢେଇ କରୁଛି ସୁମଧୁର ସ୍ୱର । କେଉଁ କଣ୍ଢେଇର ଆଲୁଅ ଜଳୁଛି ତ କେଉଁ କଣ୍ଡେଇର ଆଭରଣ ହୋଇଛି ମୂଲାୟମ । କଣ୍ଡେଇ ବଜାରରେ ପିଲାଙ୍କୁ ଆକର୍ଷିତ କରୁଥିବା ବିଦେଶୀ କଣ୍ଢେଇଙ୍କ ଭିଡ଼ ଭିତରେ ସଂଘର୍ଷ କରୁଛି ଓଡ଼ିଶାର ପାରମ୍ପରିକ କଣ୍ଢେଇ ବଜାର । ଧାର୍ମିକ ସହର ପୁରୀରେ ଏବେ ବି ଦେଖିବାକୁ ମିଳୁଛି କାଠ ,କାଗଜ ,ତାଳପତ୍ର ,ଲାଖ ଓ ବାଉଁଶରେ ତିଆରି ନିର୍ଦ୍ଧିଷ୍ଟ କେତେକ କଣ୍ଢେଇ । ଏଭଳି ସ୍ବଦେଶୀ କଣ୍ଢେଇକୁ ନିଜର ଜୀବିକା ଭାବେ ବାଛିଛନ୍ତି ପୁରୀ ର ସୁଷମା ମହାପାତ୍ର । ବିଗତ ଦୁଇ ଦଶନ୍ଧି ବ୍ୟାପି ସୁଷମା କାଗଜରେ ତିଆରି କରୁଛନ୍ତି ଅଭଙ୍ଗା କଣ୍ଢେଇ ।
କାଗଜ, ଅଠା, ମାଟି, କରତ ଗୁଣ୍ଡ, ଖଡ଼ି, ରଙ୍ଗ, ବାନିସୀ, ଶାଗୁ ଓ ମହିଗିରାରେ କାଗଜ ନିର୍ମିତ ଏହି ଅଭଙ୍ଗା କଣ୍ଢେଇ ପ୍ରସ୍ତୁତ ହୁଏ। କାଗଜ ତିଆରି ବାଘ, ହାତୀ, ହରିଣ, ଷଣ୍ଢ ଆଦି ପିଲାଠୁ ବୁଢ଼ା, ସମସ୍ତଙ୍କୁ ବେଶ୍ ଆକର୍ଷିତ କରେ। ଅତୀତରେ ଶିଳ୍ପୀମାନେ କାଗଜ କଣ୍ଢେଇ ଲାଗି ବେଶ୍ ପ୍ରଶଂସା ସାଉଁଟୁଥିଲେ। ମାତ୍ର ଏବେ ସେଇ କଳା ପ୍ରୋତ୍ସାହନ ଅଭାବରୁ ହଜି ଯାଉଛି।
ସୁଷମା ଏକା ନୁହନ୍ତି ପୁରୀର ଚିତ୍ରକର ସାହିର ୧୫ରୁ ଅଧିକ ପରିବାର କାଗଜ ମୁଖା, କଣ୍ଢେଇ, ସବାରୀ, ମନ୍ଦିର ଆଦି ପ୍ରସ୍ତୁତ କରୁଥିଲେ। ପାଳ ସାହି ଓ ବାସେଳି ସାହିରେ ମଧ୍ୟ କିଛି ପରିବାର ଏହି କାରିଗରୀରେ ପାରଙ୍ଗମ ଥିଲେ। ମାତ୍ର ପାରମ୍ପରିକ କଳା ପ୍ରତି ଲୋକେ ମୁହଁ ମୋଡ଼ିବା ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଏହି କଳାକୁ ସଂକଟ ଭିତରକୁ ଠେଲିଦେଇଛି । କଣ୍ଢେଇ ଶିଳ୍ପୀ ସୁଷମା ମହାପାତ୍ର କହନ୍ତି , ଏହି କଣ୍ଢେଇରେ ପିଲାମାନଙ୍କର ଭାରି ଶ୍ରଦ୍ଧା । ବଡ଼ମାନେ ବି ଘର ସଜେଇବାକୁ କାଗଜ ମୁଖା ଓ କଣ୍ଢେଇ କିଣି ନିଅନ୍ତି । କାଗଜରେ ପ୍ରସ୍ତୁତ ହେଉଥିଲେ ହେଁ ଏହାକୁ ମୂଷା ଓ ଅନ୍ୟ କୀଟ ଯେଭଳି ନଷ୍ଟ ନକରିବେ ସେନେଇ ପ୍ରକ୍ରିୟାକରଣ କରାଯାଉଛି । କିନ୍ତୁ ବଜାର ଦରକୁ ଦେଖିଲେ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ । କିନ୍ତୁ ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ଏଭଳି ବୃତ୍ତିରେ ଥିବା ସୁଷମା କହନ୍ତି । ଏହି କଣ୍ଢେଇ ତିଆରି ପାଇଁ କାଗଜ, ତେନ୍ତୁଳି ମଞ୍ଜି, ତୁତିଆ, ଚକ୍ଗୁଣ୍ଡ ଓ ଫେବିକଲ୍ ଅଠାର ବ୍ୟବହାର ହୋଇଥାଏ । କାଗଜକୁ ପ୍ରଥମେ ପାଣିରେ ବତୁରାଇ ଏହାକୁ ଗ୍ରାଇଣ୍ଡିଂ କରାଯାଇଥାଏ । ପରେ ଏହାକୁ ତେନ୍ତୁଳି ମଞ୍ଜି ଅଠା ଓ ଚକ୍ଗୁଣ୍ଡ ସାହାଯ୍ୟରେ ଏକ ପ୍ରକାର ମଣ୍ଡ ପ୍ରସ୍ତୁତ କରାଯିବା ପରେ ହାତରେ କଣ୍ଢେଇ ତିଆରି ହୁଏ । ଶେଷରେ ଏହାକୁ ରଙ୍ଗ ଦିଆଯାଇଥାଏ । ଏହା ଦକ୍ଷିଣ ଭାରତର ଏକ ଲୋକପ୍ରିୟ ହସ୍ତକଳା । ଓଡ଼ିଶାରେ ଅଛନ୍ତି ଏହାର ଦକ୍ଷ କାରିଗର । ଓ ରହିଛି ବିକ୍ରି ପାଇଁ ବାର ମାସରେ ତେର ପର୍ବ ।
ଅଧିକ ପଢ଼ନ୍ତୁ : ସାଧାରଣ ସାମ୍ବାଦିକରୁ ବଡ଼ ଉଦ୍ୟୋଗୀ