ଝାରସୁଗୁଡା: ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ଗରମ ହୁଏ । ଅଧିକ ଗରମ ପାଇଁ ଜଣାଶୁଣା ଶିଳ୍ପ ବହୁଳ ଝାରସୁଗୁଡାରେ କାଶ୍ମୀର କେଶର ଅମଳ କରି ପ୍ରସଂଶା ସାଉଣ୍ଟିଛନ୍ତି ଜଣେ ଗୃହିଣୀ ସୁଜାତା ଅଗ୍ରୱାଲ । ସୁଜାତା ନିଜ ବ୍ୟକ୍ତିଗତ ଉଦ୍ୟମରେ କେଶର ଉତ୍ପାଦନରେ ସକ୍ଷମ ହୋଇ ସଂଚାର କରିଛନ୍ତି ନୂଆ ସମ୍ଭାବନା । ଜଣେ କୃଷି ବିଜ୍ଞାନ ଛାତ୍ରଙ୍କ ଠାରୁ ପ୍ରେରଣା ପାଇ ସେ ଏଭଳି ଉଦ୍ୟମ କରିଥିବା କହନ୍ତି । କେଶର ଉତ୍ପାଦନ ସହିତ ବାର୍ଷିକ ୨୪ ଲକ୍ଷ ଆୟ କରି ସେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ।
କେଶର ନାଁ ଶୁଣିଲେ ଲୋକେ କାଶ୍ମୀର କଥା ଭାବନ୍ତି । କିନ୍ତୁ ଝାରସୁଗୁଡାର ଏହି ଗୃହିଣୀ ପ୍ରତିକୂଳ ତାପମାତ୍ରାରେ ମଧ୍ୟ କେଶର ଫୁଟାଇ କୃଷି ଜଳବାୟୁ ଓ ଉତ୍ପାଦନ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ବିସ୍ମୟ । ବ୍ୟବସାୟିକ ପରିବାରରୁ ଆସିଥିବା ସୁଜାତା ଜଣେ ନୃତ୍ୟ ଶିକ୍ଷୟତ୍ରୀ । କିନ୍ତୁ କରୋନା ମହାମାରୀ ସମୟରେ ତାଙ୍କର ନୃତ୍ୟ ଶ୍ରେଣୀ ବନ୍ଦ ହେବା ପରେ ସେ ନିଜ ପରିବାରକୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ହାଇଡ୍ରୋପୋନିକ ପଦ୍ଧତିରେ ଶାଗ ,ଲଙ୍କା ,ମୂଳା ,ପାଳଙ୍ଗ ,ଟମାଟୋ ଓ ଅନ୍ୟାନ୍ୟ ସବୁଜ ଶାଗ ଉତ୍ପାଦନ ଦିଗରେ ମନୋନିବେଶ କରିଥିଲେ । ବିନା ମାଟିରେ ନୂଆ ପଦ୍ଧତିରେ ଚାଷ ଆରମ୍ଭ କରି ସଫଳ ହେବା ପରେ କୃଷି ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ନୂଆ କିଛି କରିବା ପାଇଁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ସେ କାଶ୍ମୀର କେଶର କରିବା ପାଇଁ ଆଗ୍ରହୀ ହୋଇଥିଲେ ଏବଂ କାଶ୍ମୀର ଚାଷୀ ମାନଙ୍କୁ ଭେଟି ସେମାନଙ୍କ ଠାରୁ ଆଇଡ଼ିଆ ସଂଗ୍ରହ କରିବା ସହିତ ୧୦ ଲକ୍ଷ ଟଙ୍କା ନିବେଶ କରି ୧୦ଫୁଟ ଓସାର ଓ ୧୦ ଫୁଟ ଲମ୍ବାର ଛୋଟ ଏକ ଘରେ କେଶର ଉତ୍ପାଦନ ୟୁନିଟ ସ୍ଥାପନ କରିଥିଲେ । କେଶର ଅମଳ ହେବା ପରେ ସେ ଏହାକୁ ବଜାରରେ ବିକ୍ରି କରିବା ସହିତ କେତେକ ପ୍ରକ୍ରିୟଯୁକ୍ତ ଉତ୍ପାଦ ତିଆରି କରିଥିଲେ । ଗୃହିଣୀରୁ ସଫଳ ଉଦ୍ୟୋଗୀ ହେବା ପଛର ରହସ୍ୟ ହେଲା ତାଙ୍କର ଆଗ୍ରହ ଓ ପ୍ରଚଣ୍ଡ ଇଛାଶକ୍ତି ।