ଭାଗ୍ୟ କାହାକୁ କହନ୍ତି ତାହା ଜାଣିବାକୁ ହେଲେ କୋରାପୁଟ କାଞ୍ଚନ ଡାଏରୀର ପ୍ରତିଷ୍ଠାତା ନମିତା ପାଟଜୋଷୀଙ୍କ କାହାଣୀ ଶୁଣନ୍ତୁ । 1987 ମସିହାରେ ନମିତା ବାହା ହୋଇ କୋରାପୁଟ ଆସିଲେ । ସେତେବେଳେ ତାଙ୍କ ସ୍ୱାମୀଙ୍କ ମାସିକ ରୋଜଗାର ଥିଲା ମାତ୍ର 800 ଟଙ୍କା । ରାଜସ୍ବ ବିଭାଗର ସେ ଥିଲେ ଜଣେ ଅସ୍ଥାୟୀ କିରାଣୀ । 8 ପ୍ରାଣୀ କୁଟୁମ୍ବଙ୍କ ପାଇଁ ସେତିକି ଅର୍ଥ କିଛି ନଥିଲା। ଏହା ସହିତ ଲିଟର ପ୍ରତି 10 ଟଙ୍କା ହିସାବରେ ଦିନକୁ ଦୁଇ ଲିଟର କ୍ଷୀର କିଣିବାକୁ ପଡୁଥିଲା। ଆର୍ଥିକ ସମସ୍ୟା ସହିତ ସଂଘର୍ଷ କରୁଥିବା ବେଳେ ନମିତାଙ୍କ ପିତା ତାଙ୍କୁ ଉପହାର ସ୍ୱରୂପ ଏକ ଜର୍ସି ଗାଈ ପ୍ରଦାନ କରିଥିଲେ । ଗାଈଟି ଦିନକୁ 4 ଲିଟର କ୍ଷୀର ଦେଉଥିଲା। ଦୁଇ ଲିଟର କ୍ଷୀରରେ ଘରର ଆବଶ୍ୟକତା ପୂରଣ ହେଉଥିବା ବେଳେ ଅନ୍ୟ ଦୁଇ ଲିଟର କ୍ଷୀରକୁ ବିକ୍ରି କରି ସେ ଦୈନିକ ୨୦ ଟଙ୍କା ରୋଜଗାର କରୁଥିଲେ । ଘରର ଆର୍ଥିକ ସ୍ଥିତିର ପରିବର୍ତ୍ତନ ଦିଗରେ ଗୋ ପାଳନର ଭୂମିକା କଣ ସେ ଅନୁଭବ କରିଥିଲେ । କିନ୍ତୁ ଦିନେ ଅପ୍ରତ୍ୟାଶିତ ଭାବେ ଗାଈଟି ନିଖୋଜ ହୋଇଗଲା ।
ନମିତାଙ୍କ ପାଇଁ ଏହା ଥିଲା ଅତ୍ୟନ୍ତ ଦୁଃଖ ଦାୟକ । ୧୯୯୭ ମସିହାରେ ସେ ନିଜର ଏକ ସୁନା ଚେନ ବନ୍ଧକ ରଖି ୫୪୦୦ ଟଙ୍କାରେ ପୁଣି ଏକ ଜର୍ସି ଗାଈ କିଣିଲେ । ଏହା ଦିନକୁ ୬ ଲିଟର କ୍ଷୀର ଦେଉଥିଲା । କ୍ଷୀର ବିକ୍ରିରୁ ମିଳୁଥିବା ଅର୍ଥ ନିୟମିତ ହାତକୁ ଆସୁଥିବାରୁ ସେ ୨୦୧୫/୧୬ ବର୍ଷରେ ସେ ୫୦ ପ୍ରତିଶତ ରିହାତିରେ ବ୍ୟାଙ୍କ ଋଣ ଯୋଗାଡ଼ କଲେ ଓ ଅଧିକ ଗାଈ କିଣିଲେ । ଆଜି ତାଙ୍କ ନିକଟରେ ଅଛନ୍ତି ଅନ୍ୟୁନ ୨୦୦ ବଛା ବଛା ପ୍ରଜାତିର ଗାଈ । ସେମାନେ ଦୈନିକ ୬୦୦ ଲିଟର କ୍ଷୀର ଦେଇଥାନ୍ତି । ଏସବୁ କ୍ଷୀରରୁ ଦୈନିକ ୩୯ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ ବାର୍ଷିକ କୋଟିଏ ଟଙ୍କାର କ୍ଷୀର ବିକ୍ରି ହୁଏ । କାଞ୍ଚନ ଡାଏରୀରେ ଆଜି ଅନ୍ୟୁନ ୨୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କୋରାପୁଟ ସହରରେ କ୍ଷୀର ,ଦହି ,ଛେନା ,ଖୁଆ ଓ ପନିର ପାଇଁ ଏହା ଏକ ବିଶ୍ୱସନୀୟ ନାଁ ତିଆରି କରିବାରେ ସକ୍ଷମ ହୋଇଛି ।