ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ଅନେକ ଲୋକ ପାଇଛନ୍ତି ପ୍ରସିଦ୍ଧି । ଅନୁରୂପ ଭାବେ ଅର୍ଥ ରୋଜଗାର ସହିତ ସୁନାମ ପାଇବାରେ ସଫଳ ହୋଇଛନ୍ତି ପର ଘରେ ବାସନ ମାଜୁଥିବା ମୁମ୍ବାଇର ଜଣେ ଝିଅ ବର୍ଷା ସୋଲାଙ୍କି । ବର୍ଷାଙ୍କ ଶୈଶବ ସଂଘର୍ଷରେ ଭରା । ପିଲାଦିନେ ଘର ଚଳାଇବା ପାଇଁ ତାଙ୍କ ମା ପରଘରେ କାମ କରୁଥିଲେ । ମାଙ୍କ କଷ୍ଟ ଦେଖି ବର୍ଷା ମଧ୍ୟ ମାଙ୍କ ସହିତ ଯାଇ ପରଘରେ ବାସନ ମାଜିବା ଆରମ୍ଭ କରିଥିଲେ । କାମରୁ ସମୟ ମିଳିଲେ ନାଚୁଥିଲେ ଓ ମଜା ମଜା କଥା କହି ଅନ୍ୟକୁ ହସାଉଥିଲେ । ବାହାହୋଇଯିବା ପରେ ଘରକାମ ସହିତ ଫୁରୁସତ ସମୟରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରୁଥିଲେ । କମେଡି ଓ ନୃତ୍ୟରେ ନିଜର ପାରଦର୍ଶିତା ଦେଖାଇ କମ ବୟସରେ ସୋସିଆଲ ମିଡିଆରେ ଲକ୍ଷାଧିକ ଅନୁଗାମୀ ଯୋଗାଡ଼ କରିବାରେ ସକ୍ଷମ ହେଲେ । ଆଜିକାଲି ରାତି ଅଧିଆ ପ୍ରସିଦ୍ଧି ପାଇବା ଚକ୍କରରେ ଅନେକ ମହିଳା ସୋସିଆଲ ମିଡିଆରେ ନିଜ ଅଙ୍ଗ ପ୍ରଦର୍ଶନ କରୁଥିବା ବେଳେ ବର୍ଷା କିନ୍ତୁ ନିଜ ଦକ୍ଷତା ଓ ସାମର୍ଥ୍ୟକୁ ବିନିଯୋଗ କରି ପ୍ରସଂଶା ସାଉଣ୍ଟିଛନ୍ତି ।
୧୮ ଜାନୁଆରୀ ୧୯୮୫ ମସିହାରେ ମୁମ୍ବାଇରେ ଜନ୍ମିତ ବର୍ଷା କମେଡି ଓ ଡ୍ୟାନ୍ସ ଜଗତରେ ନିଆରା ଛାପ ଛାଡିଛନ୍ତି । କମେଡିରେ ଦ୍ୱିଅର୍ଥ ବୋଧକ ଶବ୍ଦ ପ୍ରୟୋଗ କରାଯାଇ ମନୋରଞ୍ଜନ କରାଯାଉଥିବା ବେଳେ ବର୍ଷା ବୁଦ୍ଧି ପ୍ରୟୋଗ କରି ବିଷୟକୁ ରସାଳ କରାଇଛନ୍ତି । ଟିକଟକରୁ ସେ ସୋସିଆଲ ମିଡିଆରେ ପ୍ରବେଶ କରିଥିଲେ । ଟାଇମ ପାସ ପାଇଁ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ତାଙ୍କର କଣ୍ଟେଣ୍ଟ ଭାଇରାଲ ହେବା ପରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ୨.୫ ମିଲିୟନରେ ପହଞ୍ଚିଥିଲା । ବର୍ଷାଙ୍କ କମେଡି ଓ ଡ୍ୟାନ୍ସ ଭିଡିଓ ମିଲିୟନ ଭିୟୁ ହେବା ପରେ ସେ ଟିକଟକରୁ ଅର୍ଥ ପାଇବା ଆରମ୍ଭ କଲେ । ଏବେ ମାସିକ ନିୟମିତ ଭାବେ ୩୦ ହଜାର ଟଙ୍କା ରୋଜଗାର କରିବାରେ ସେ ସଫଳ ହୋଇଛନ୍ତି । ଭାରତରେ ଟିକଟକ ବ୍ୟାନ ହେବା ପରେ ସେ ଇନଷ୍ଟାଗ୍ରାମକୁ ଏବଂ ୟୁଟ୍ୟୁବକୁ ଆସି ଅନୁଗାମୀ ସଂଖ୍ୟା ବଢ଼ାଇବାରେ ସଫଳ ହୋଇଛନ୍ତି । ଜିଲି ଆପ ,ଜୋଶ ଆପ ଓ ଫେସ ବୁକର ବିଜ୍ଞାପନ ମଧ୍ୟମରୁ ବେଶ ଭଲ ଆୟ କରୁଛନ୍ତି ବର୍ଷା ।