ଜୀବିକାର କାହାଣୀ ବଖାଣୁଛି ଜଙ୍ଗଲର ଲାଉତୁମ୍ବା ବା ଲାଉର ଖୋଳ । ନଡ଼ିଆ ସଢ଼େଇ ଭଳି ଲାଉର ଖୋଳରେ ତିଆରି ହେଉଛି ସାଜସଜ୍ଜା ସାମଗ୍ରୀ ସାଙ୍ଗକୁ ସୁନ୍ଦର ଚିତ୍ରକଳା । ରାୟଗଡା ଜିଲ୍ଲାର ୨୦ ଖଣ୍ଡ ଆଦିବାସୀ ଗାଁର ଲୋକେ ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ୨୫ରୁ ୨୭ ଟ୍ରକ ଲୋଡ଼ ଲାଉ ତୁମ୍ବା ବିକ୍ରି କରିଛନ୍ତି । ଆକାର ଓ ରଙ୍ଗ ତଥା ନିଖୁଣତା ଅନୁଯାୟୀ ଗୋଟିଏ ଲାଉ ତୁମ୍ବାର ଦାମ ୧୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ଯାଏଁ ରହିଛି । ଏହା ଆଦିବାସୀଙ୍କ ଅର୍ଥନୀତି ସହିତ ଯୋଡି ହେବାରେ ଲାଗିଛି ।
ବିଗତ ୪/୫ ବର୍ଷ ମଧ୍ୟରେ ରାୟଗଡା ଆଖପାଖ ଗାଁର ୬୦୦ ମହିଳା ଲାଉତୁମ୍ବାରେ ଫାଇନ ଆର୍ଟ କାମର ପ୍ରଶିକ୍ଷଣ ନେଇଛନ୍ତି । ପ୍ରଶିକ୍ଷଣ ସମୟରେ ମାସିକ ୬ହଜାର ଟଙ୍କାର ପାରିଶ୍ରମିକ ରାଜ୍ୟ ସରକାରଙ୍କ ଠାରୁ ପାଇବା ସହିତ ତାଲିମ ଶେଷରେ ପ୍ରେରଣା ଆର୍ଟ ଆଣ୍ଡ କ୍ରାଫ୍ଟ ସହିତ ଯୋଡି ହୋଇ ବାଉଁଶରେ ଅଳଙ୍କାର ,ଲାଉତୁମ୍ବାରେ ଘର ସାଜସଜ୍ଜା ସାମଗ୍ରୀ ,କଣ୍ଢେଇ ,ଲ୍ୟାମ୍ପ ସେଡ ଆଦି ସାମଗ୍ରୀ ଉତ୍ପାଦିତ କରିଥାନ୍ତି । ଉତ୍ପାଦିତ ସାମଗ୍ରୀ ପାଇଁ ୬୦୦ ଆଦିବାସୀ ମହିଳାଙ୍କ ରୋଜଗାର ବଢିଥିବା ବେଳେ ତୁମ୍ବା ବିକ୍ରି କରି ଚାଷୀ ମାନେ ମଧ୍ୟ ଦୁଇପଇସା ରୋଜଗାର କରିଥାନ୍ତି । ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାରେ ଆଦିବାସୀ କଳକାରିଗରି ଓ ହସ୍ତଶିଳ୍ପର ଉନ୍ନତି ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରାଯାଉଛି । ମହିଳା କାରିଗରଙ୍କ ସଶକ୍ତିକରଣ ଦିଗରେ ଏହା ବେଶ ପ୍ରଭାବୀ ହୋଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ କନ୍ଧ ଆଦିବାସୀ ମାନେ ଲାଉ ତୁମ୍ବାରେ ପାଣି ଓ ମାଣ୍ଡିଆ ଜାଉ ରଖି ବ୍ୟବହାର କରୁଥିଲେ । ଏବେ ଏହା ନଗରାଞ୍ଚଳର ପରିବାର ଗୁଡିକରେ ଘର ସଜାଇବା ପାଇଁ ବ୍ୟବହାର ହେଉଛି ।