ଉଦ୍ୟାନ କୃଷିରୁ ବଡ଼ ରୋଜଗାର । ୬୫ ଏକର ଜମିରେ ଫଳ ଚାଷ କରି ବାର୍ଷିକ ୨୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ୬୬ ବର୍ଷ ବୟସ୍କ ହସମୁଖ ଲାଲ ଚାଉଡା। ୪୦ ବର୍ଷ ତଳେ କୃଷିରୁ ଜୀବିକା ଆରମ୍ଭ କରିଥିବା ହସଲାଲ ଏବେ ହଜାରେ ଏକର ଜମିର ମାଲିକ । ପ୍ରଥମେ ସେ ୨ ଏକର ଜମିରୁ ପରିବା ଚାଷ ଆରମ୍ଭ କରିଥିଲେ । କ୍ଷେତରେ ନିଜେ ଖଟିବା ସହିତ ଉତ୍ପାଦିତ ଫସଲ ସାଇକେଲରେ ନେଇ ବଜାରରେ ବିକ୍ରି କରୁଥିଲେ ।ଆଜି ଓଡିଶା ଓ ଛତିଶଗଡ଼ରେ ତାଙ୍କର ରହିଛି ୨୪ଟି ଭିନ୍ନ ଭିନ୍ନ ୟୁନିଟ । ହସମୁଖଙ୍କ ନିଜ ଘର ଛତିଶଗଡ଼ର ବସ୍ତ୍ରର ଜିଲ୍ଲାରେ । କୋରାପୁଟ ଜିଲ୍ଲାରେ ରହିଛି ତାଙ୍କର ପାଞ୍ଚଟି ୟୁନିଟ । ଆଉଲି ,ବିଯାଗୁଡା ଓ ତାରାପଡର ଠାରେ ଫଳ ଉତ୍ପାଦନ କରି ସେ ଭୁବନେଶ୍ୱର ,ବିଶାଖାପାଟଣା ,କୋଲକାତା ଓ କର୍ଣ୍ଣାଟକର ହୋଲସେଲ ବଜାରକୁ ଯୋଗାଇଥାନ୍ତି । ଆଉଲି ଫାର୍ମରେ ୫୨ ଏକର ଜମିରେ ସେ ପିଜୁଳି ଚାଷ କରିଥିବା ବେଳେ ୧୨.୫ ଏକର ଜମିରେ କରିଛନ୍ତି ଡ୍ରାଗନ ଫ୍ରୁଟ ଚାଷ । ୧୫ ଜୁନ ଠାରୁ ତାଙ୍କ ଫାର୍ମରେ ଆରମ୍ଭ ହୋଇଛି ଏହି ବିଦେଶୀ ମିଠା ଫଳର ସଂଗ୍ରହ ଋତୁ । ଆଗାମୀ ନଭେମ୍ବର ଅଧା ଯାଏଁ ଏହା ଅମଳ ହେବ ।
ହସମୁଖଙ୍କ କୃଷି ଫାର୍ମରେ ଏବେ ଫଳ ଅମଳର ଋତୁ । ୪୦ରୁ ଅଧିକ ମହିଳା ନିୟୋଜିତ ରହି ଅମଳ କରୁଛନ୍ତି ଡ୍ରାଗନ ଫ୍ରୁଟ । ଟ୍ରେ ଟ୍ରେ ଫଳ ଅମଳ ହୋଇ ବଜାର ପାଇଁ ପ୍ରସ୍ତୁତ ହେଉଛି । ତୋଳିବା ,ବାଛିବା ,ସଫା କରିବା ଓ ପ୍ୟାକ କରିବା ଆଦି କାମରେ ନିୟୋଜିତ ଅଛନ୍ତି ସ୍ଥାନୀୟ ମହିଳା । କାମକୁ ଦେଖି ଶ୍ରମିକଙ୍କୁ ନିୟୋଜିତ କରାଯାଉଛି । ତେବେ ପ୍ରୟଥା ୪୦ ରୁ ଅଧିକ ମହିଳା ଏଥିରେ ପାଉଛନ୍ତି କାମ । ପୂର୍ବରୁ ଧାନ ଚାଷରେ ଶ୍ରମିକ କାମ କରୁଥିବା ଏହି ମହିଳା ମାନେ ଦିନକୁ ୧୦୦ରୁ ଦେଢ଼ଶହ ମଜୁରୀ ପାଉଥିବା ବେଳେ ଏଠାରେ ଦିନକୁ ଦେଢ଼ଶହରୁ ୧୬୦ ଟଙ୍କା ରୋଜଗାର ମିଳୁଥିବାରୁ ପ୍ରକଟ କରିଛନ୍ତି ଖୁସି । ଡ୍ରାଗନ ଫ୍ରୁଟ ଜୁନ ଠାରୁ ନଭେମ୍ବର ଯାଏଁ ଅମଳ ହେଉଥିବା ପିଜୁଳି ଗଛରେ କରାଯାଉଛି କ୍ୟାପିଙ୍ଗ । ପ୍ରତି ଏକରରୁ ୧୨ ଟନ ଡ୍ରାଗନ ଫ୍ରୁଟ ଅମଳ ହେଉଥିବା ବେଳେ ୧୫ ଟନ ଅମଳ ଦେଉଛି ପିଜୁଳି । ଯେଉଁ ଜମି ବର୍ଷ ପରେ ବର୍ଷ ପଡିଆ ପଡିଥିଲା ଏବେ ସେହି ଜମିରୁ ଉଦ୍ୟାନ କୃଷିରେ ଯୋଡି ହେଉଛି ସଫଳ କାହାଣୀ ।