କିଛି ବର୍ଷ ତଳେ କବିତା ଜାଣିନଥିଲେ ବଣ ଜଙ୍ଗଲରେ ଆପେ ଆପେ ହେଉଥିବା କରଞ୍ଜ ମଞ୍ଜି ତାଙ୍କ ଜୀବିକାରେ ସହାୟତା କରିବ । ଗତ ମାସରେ ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳର ଏହି ୨୩ ବର୍ଷୀୟା ଆଦିବାସୀ ଝିଅ କବିତା ମାଢି ପାଖ ଜଙ୍ଗଲରୁ ୧୬୯ କେଜି କରଞ୍ଜ ମଞ୍ଜି ସଂଗ୍ରହ କରି ବିନା ମଧ୍ୟସ୍ଥି ବା ଦଲାଲର ହସ୍ତକ୍ଷେପରେ ସିଧା ସଳଖି କେଜି ପ୍ରତି ୪୫ ଟଙ୍କା ଦରରେ ବିକ୍ରି କରି ନିଜ ପରିବାରର ଖାଦ୍ୟ ଓ ଖର୍ଚ୍ଚ ପାଇଁ ରୋଜଗାର କରିଛନ୍ତି । ମମତା ଏକା ନୁହଁ କାଲିମେଳା ,ମୋଟୁ ଓ ପଡିଆ ବ୍ଲକରେ ୫୬୭ ଆଦିବାସୀ ମହିଳା ଏକାଠି ହୋଇ କାନମରାଜା ସବୁଜ ଶକ୍ତି ଉତ୍ପାଦକ ସଂଘ ଗଢି ଲଘୁ ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରି ବେଶ ଦୁଇପଇସା ରୋଜଗାର କରୁଛନ୍ତି । ୨୦୦୦ ମସିହା ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ,ପ୍ରକ୍ରିୟା ଓ ଗଛିତ ରଖିବାର ଅଧିକାର ଆଦିବାସୀ ବଣ ମୂଲକର ଲୋକଙ୍କ ନିକଟରେ ନଥିଲା । ୨୦୦୦ ମାର୍ଚ୍ଚ ୮ ତାରିଖ ପରଠାରୁ ଏକ ଆଇନ ବଳରେ ପଂଚାୟତ ଗୁଡିକ ହାତରେ ଏହାର ବିକ୍ରିବଟା ,ପ୍ରକ୍ରିୟା ,ସ୍ୱୟଂ ସହାୟକ ଦଳ ଗୁଡିକୁ ଏଭଳି କରିବା ପାଇଁ ଲାଈସେନ୍ସ ପ୍ରଦାନ କରାଗଲା। ଫଳରେ ରାଜ୍ୟର ସମସ୍ତ ଜଙ୍ଗଲ ବହୁଳ ଜିଲ୍ଲାରେ ଲଘୁ ବନଜାତ ଦ୍ରବ୍ୟକୁ ନେଇ ମହିଳାଙ୍କ ଜୀବିକାରେ ନୂଆ ସମ୍ଭାବନା ସୃଷ୍ଟି ହେଲା । ମୟୁରଭଞ୍ଜ ଜିଲ୍ଲାରେ ଲକ୍ଷାଧିକ ମହିଳା ଶାଳପତ୍ର ,ଶାଲମଞ୍ଜି ,ମହୁଲ ,ଟୋଲ ଓ ମହୁ ସଂଗ୍ରହ କରି ବର୍ଷର ୬ ମାସ ଏହାର ଆୟରୁ ଚଳିଯାଉଥିବା ବେଳେ କୋରାପୁଟ ଜିଲ୍ଲାରେ ଯାଫ୍ରା,ତେନ୍ତୁଳି ,ଫୁଲଝାଡୁ ଅନେକ ମହିଳାଙ୍କୁ ଜୀବିକା ଦେଇଛି । ସେହିପରି କନ୍ଧମାଳ ଜିଲ୍ଲାରେ ଶିଆଳି ପତ୍ର ଖଲି ,ଫୁଲଝାଡୁ ,ତେନ୍ତୁଳି ମହିଳାଙ୍କ ଆୟ ବୃଦ୍ଧିରେ ଦେଇଛି ବଡ଼ ଯୋଗଦାନ । ୬୫ ପ୍ରକାର ବନଜାତ ଦ୍ରବ୍ୟ ସମେତ ୮ ପ୍ରକାର ତୈଳବୀଜ ସଂଗ୍ରହ କରି ଗୁଜୁରାଣ ମେଂଟାଇବାରେ ମହିଳା ମାନଙ୍କୁ ସହାୟତା କରିଛି ଉତ୍ପାଦକ ସଂଘ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଂଚଳରେ ଗଠିତ ଦୁଆରଶୁଣି ଉତ୍ପାଦକ ଦଳ ନିମ୍ବ ,କୁସୁମ,କରଞ୍ଜ,ଟୋଲ ସମେତ ଚାରମଞ୍ଜି ସଂଗ୍ରହ ଓ ବିକ୍ରି କରି ନିଜର ଆର୍ଥିକ ସ୍ଥିତିରେ ଆଣିଛନ୍ତି ପରିବର୍ତ୍ତନ ।