କପଡାକୁ ନିର୍ଦ୍ଧିଷ୍ଟ ମାପରେ କାଟି କରାଯାଉଛି ସିଲେଇ । ପୋଷାକ ଠାରୁ କୁସନ କଭର ଓ ରୁମାଲ ଠାରୁ ଟେବୁଲ କ୍ଳଥ ,ଚାନ୍ଦୁଆ ଯାଏଁ ସବୁ ପ୍ରକାର ସିଲେଇ ଓ ହାତକାମ କରାଯାଉଛି ଏଠାରେ । ବିଦ୍ୟାର୍ଥୀଙ୍କ ଠାରୁ ବିବାହିତା ଓ ବିଧବାଙ୍କ ଯାଏଁ ବିଭିନ୍ନ ବୟସର ଯୁବତୀ ଓ ମହିଳା ଏଠାରେ ଦକ୍ଷତା ଅନୁଯାୟୀ କାମ କରି କରୁଛନ୍ତି ରୋଜଗାର । ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ ଗଢି ଏହି ଗ୍ରାମୀଣ ମହିଳାମାନଙ୍କୁ ଜୀବିକାର ବାଟ ଦେଖାଇଛନ୍ତି ଜଣେ ସଂଖ୍ୟାଲଘୁ ମହିଳା ରେଶମା ବେଗମ । ରେଶମାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ଗାଁର ଗୋଲର ହାଟ ଗାଁରେ । ରେଶମା ବାହା ହୋଇ ଏଠାକୁ ଆସିବା ବେଳେ ସାଥିରେ ଆଣିଥିଲେ ଏକ ସିଲେଇ ମେସିନ । ପରେ ହସ୍ତଶିଳ୍ପ ବିଭାଗରୁ ୬ ମାସିଆ ତାଲିମ ପାଇବା ପରେ ସିଲେଇ ଓ ଏମ୍ବ୍ରଦୋରୀକୁ ଆଧାର କରି ଆରମ୍ଭ କଲେ ଉତ୍ପାଦିକା ଦଳ । ୧୦ ଜଣରୁ ଆରମ୍ଭ ହୋଇଥିବା ଏହି ଦଳରେ ଏବେ ୭୨ ଜଣ ମେମ୍ବର । ଘର କାମ କରିବା ସହିତ ଏଠାରେ ସିଲେଇ ଓ ଏମ୍ବ୍ରଡୋରି କରି କରୁଛନ୍ତି ଭଲ ରୋଜଗାର ।
ରେଶମା ବେଗମଙ୍କ ନେତୃତ୍ୱରେ ଅଗ୍ରଗତି କରିଛି ଉତ୍କଳ ଗ୍ରାମୀଣ ଉତ୍ପାଦିକା ଦଳ । ବାର୍ଷିକ ୮୦/୯୦ ଲକ୍ଷ ଟଙ୍କାର କାରବାର କରି ଦଳ ତିଆରି କରିଛି ନିଜର ଏକ ନାଁ । ଦଳର ସଦସ୍ୟା ମାନେ ଦୈନିକ ୨ ଘଣ୍ଟାରୁ ୬ ଘଣ୍ଟା ଯାଏଁ କାମ କରି ବ୍ୟକ୍ତିଗତ ଭାବେ କରୁଛନ୍ତି ୩ହଜାରରୁ ୯ ହଜାର ଯାଏଁ ଆୟ । ଅଧିକରୁ ଅଧିକ ସଂଖ୍ୟକ ମହିଳାଙ୍କୁ ରୋଜଗାର ଦେବାର ଲକ୍ଷ ନେଇ ଦଳ ପ୍ରସ୍ତୁତ କରିଛି ଯୋଜନା । ରେଶମା ବେଗମଙ୍କ ନିଷ୍ଠା ,ଆଗ୍ରହ ଓ ଆବଶ୍ୟକତାରୁ ଆରମ୍ଭ ହୋଇଥିବା ପ୍ରଡ୍ୟୁସର ଦଳ ସିଲେଇ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ମନ୍ତ୍ର ଦେଇଛି । ଘର କାମରେ ନିଜକୁ ସୀମିତ ରଖୁଥିବା ମହିଳା ମାନେ ଘର ବାହାରକୁ ଆସି ସ୍କୁଲ ୟୁନିଫର୍ମ ,କିଚେନ ଆପ୍ରୋନ ,ଟୋପି ,ରୁମାଲ ଓ ୱାଲ ହାଂଗିଙ୍ଗ ଆଦି ସିଲେଇ କଳାରେ ଅଭିଜ୍ଞ ହେବା ସହିତ କରୁଛନ୍ତି ଆୟ । ଏଥିପାଇଁ ରେଶମା ସରକାରଙ୍କ ଲକ୍ଷପତି ଦିଦି ଭାବେ ଦିଲ୍ଲୀ ଯାଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଛୋଟ ଏକ ସିଲେଇ ମେସିନ ତାଙ୍କୁ ଯେଉଁ ଆସନ ଯାଏଁ ନେଇଯାଇଛି ତାହା ଅଭୁଲା ବୋଲି କହିଛନ୍ତି ରେଶମା ।