ରାଜଧାନୀ ଉପକଣ୍ଠ ବାଲିପାଟଣା ଜଗନ୍ନାଥପୁର ଗାଁରେ ଖୋଲିଛି ନଡ଼ିଆ କତାରୁ ହସ୍ତକଳା କାରିଗରୀ କେନ୍ଦ୍ର । ପର୍ଯ୍ୟାୟ କ୍ରମେ ଗାଁର ୨୦ ରୁ ଅଧିକ ମହିଳା ଘର କାମ ସରିବା ପରେ ଏଠାରେ ଏକାଠି ହୋଇ ନଡ଼ିଆ କତାରୁ କରନ୍ତି ନାନା ପ୍ରକାର ଘରକରଣା। ଜଗନ୍ନାଥପୁର ଗାଁର ବୈଶାଖୀ ଭୋଇ । ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ନ୍ତି । ପଢ଼ା ସମୟ ବାହାରେ ସେ ଏହି ସାଇ ଶ୍ରଦ୍ଧା ହସ୍ତ ଶିଳ୍ପ ତାଲିମ କେନ୍ଦ୍ରରେ କାମ କରି ମାସିକ ୫ ହଜାର ଟଙ୍କା ରୋଜଗାର କରନ୍ତି । ନିଜ ରୋଜଗାରର ଏହି ଟଙ୍କା ସେ ନିଜ ପଢ଼ା ଖର୍ଚ୍ଚରେ ବିନିଯୋଗ କରିଥାନ୍ତି । ବୈଶାଖୀଙ୍କ ପରି ଏହି କେନ୍ଦ୍ରରେ ତାଲିମ ନେବା ପରେ ଏବେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି ରଶ୍ମିତା ଜେନା । ରଶ୍ମିତା ଘର କାମ ଓ ପିଲାଙ୍କ ଦାୟିତ୍ୱ ସାରି ତାଲିମ କେନ୍ଦ୍ରକୁ ଆସନ୍ତି । ନଡ଼ିଆ କତାରୁ ଚଢେଇ ବସା ,କଲମଷ୍ଟାଣ୍ଡ ,ଗଛ ଷ୍ଟାଣ୍ଡ ଆଦି ଅନେକ ସାଜସଜ୍ଜା ସାମଗ୍ରୀ ତିଆରି କରନ୍ତି । ରଶ୍ମିତା କହନ୍ତି ପୂର୍ବରୁ ନିଜ ଖର୍ଚ୍ଚ ଓ ପିଲାଙ୍କ ଖର୍ଚ୍ଚ ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗୁଥିଲୁ। ଏଠାରେ କାମ ଶିଖିଯିବା ପରେ ଦିନକୁ ୫/୬ ଘଣ୍ଟା କାମ କରି ମାସିକ ୪/୫ ହଜାର ଟଙ୍କା ଅତିରିକ୍ତ ଆୟ କରିପାରୁଛୁ । ଏସବୁ କରିବା ପାଇଁ ଘରର କାମ ବାକି ରହୁନି । ବୈଶାଖୀ ଓ ରଶ୍ମିତାଙ୍କ ପରି ଗାଁର ଅନେକ ମହିଳା ଏବେ ସ୍ୱାବଲମ୍ବୀ ହେଲେଣି । ସାଇଶ୍ରଦ୍ଧା ହସ୍ତଶିଳ୍ପ ତାଲିମ କେନ୍ଦ୍ରର ମୁଖ୍ୟ ହେଉଛନ୍ତି ଦୁର୍ଗା ମାଧବ ଜେନା । ସେ ଗାଁ ମହିଳାଙ୍କୁ ୬ ମାସର ତାଲିମ ଦେଇ ନଡ଼ିଆ କତା ,ନଡ଼ିଆ ସଦେଇ ଓ ଜିଆଇ ତାରକୁ ବ୍ୟବହାର କରି ଶିଖାଇଛନ୍ତି ସୁନ୍ଦର ଓ ସୁକ୍ଷ୍ମ ହସ୍ତକଳା । ଏହା କମ ପାଠପଢ଼ିଥିବା ଗାଁ ମହିଳାଙ୍କ ପାଇଁ ଜୀବିକାର ବାଟ ଖୋଲିଛି ।