ମଧ୍ୟପ୍ରଦେଶ ଟିକମଗଡ଼ ବାସିନ୍ଦା ମୋହସିନା ବାନୋଙ୍କ ପିତା ଇକରାମ ଖାନ ଜଣେ କ୍ଷୁଦ୍ର ବ୍ୟବସାୟୀ । ସ୍ଥାନୀୟ ବଜାରରେ ତାଙ୍କର ରହିଛି ଛୋଟ ଏକ ଦୋକାନ । ବିଗତ ୨୮ବର୍ଷ ଧରି ସେ ସେହି ଦୋକାନକୁ ଆୟର ମାଧ୍ୟମ କରି ୬ପ୍ରଣୀ ପରିବାରକୁ ପ୍ରତିପୋଷଣ କରୁଥିବା ବେଳେ ନିକଟରେ ପ୍ରକାଶିତ ୟୁପିଏସସି ପରୀକ୍ଷାରେ ତାଙ୍କ ଝିଅ ଦେଶର ସପ୍ତମ ସ୍ଥାନରେ ରହି ସମଗ୍ର ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି ।
ଆପଣଙ୍କ ସ୍ଥିତି କେବେ ବି ଆପଣଙ୍କ ପ୍ରଗତି ଓ ସଫଳତାକୁ ରୋକି ପାରିବ ନାହିଁ । ଯଦି ଏହି କଥାକୁ ବିଶ୍ୱାସ କରିପାରୁନାହାନ୍ତି ତେବେ ମଧ୍ୟପ୍ରଦେଶ ଟିକମଗଡ଼ ବାସିନ୍ଦା ମହୋସିନ ବାନୋଙ୍କ ଜୀବନ କାହାଣୀ ଉପରେ ଟିକେ ନଜର ପକାନ୍ତୁ । ମହୋସିନାଙ୍କ ପରିବାରରେ ତିନି ଭଉଣୀ ,ଜଣେ ଭାଇ ଓ ପିତାମାତା। ୬ ପ୍ରାଣୀ କୁଟୁମ୍ବଙ୍କ ପ୍ରତିପୋଷଣ ଦାୟିତ୍ୱ ପିତାଙ୍କ ଉପରେ । ପିତାଙ୍କ ରହିଛି ଟିକମଗଡ଼ ବସଷ୍ଟାଣ୍ଡରେ ଛୋଟ ଏକ ଦୋକାନ । ସେଥିରୁ ଯାହା ରୋଜଗାର ହୁଏ କଷ୍ଟେମଷ୍ଟେ ଚଳିଯାଏ ପରିବାର । ତଥାପି ତାଙ୍କର ପିତା ଇକରାମଖାନ ପିଲାଙ୍କ ପାଠ ପଢ଼ା ଉପରେ ଖର୍ଚ୍ଚ କାଟ କରିନାହାନ୍ତି । ପିଲାମାନେ ବି ବୁଝିଛନ୍ତି ପିତାମାତାଙ୍କ ପରିଶ୍ରମ । ଗରିବୀ ସତ୍ୱେ ମୋହସିନା ଦଶମ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନରେ ରହିବା ସହିତ ଗଣିତରେ ଆଣିଥିଲେ ସର୍ବାଧିକ ନମ୍ବର । ଦ୍ୱାଦଶ ପରୀକ୍ଷାରେ ସେ ରାଜ୍ୟରେ ଟପ୍ପର ହୋଇଥିଲେ ଓ ସ୍ନାତ୍ତକରେ ମଧ୍ୟ ମିଳିଥିଲା ଉପଯୁକ୍ତ ସ୍ଥାନ । ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଜିଲ୍ଲାପାଳ ଦେଇଥିଲେ ସମ୍ମାନ । ଜିଲ୍ଲାପାଳଙ୍କ ଅଫିସ ଓ କାର୍ଯ୍ୟଧାରା ଜାଣିବା ପରେ ସେ ୟୁପିଏସସି ପ୍ରସ୍ତୁତି ପାଇଁ ଧ୍ୟାନ ଦେଇଥିଲେ । ଚଳିତ ବର୍ଷ ସେ ୟୁପିଏସସି ଆୟୋଜିତ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସପ୍ତମ ସ୍ଥାନରେ ରହି ନିଜର ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ମହୋସିନା କହନ୍ତି ସ୍ୱପ୍ନରେ ଜୀବନ ଥିବାରୁ ଲକ୍ଷ ସ୍ଥଳରେ ପହଂଚିବା ହୋଇଛି ସହଜ ।