କୋଲକାତା ସେରଫୁଲିର ଷ୍ଟାର ସୁଟର ଆୟୁଷି ପୋଦାର । କମ ବୟସରୁ ଜିତିଛନ୍ତି ଅନେକ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ପୁରସ୍କାର । ଦେଶ ପାଇଁ ଯୋଗ୍ୟ ପ୍ରତିଭା ଭାବେ ନିଜକୁ ପ୍ରମାଣିତ କରିବା ସହିତ ଆଗାମୀ ସମୟ ପାଇଁ ପାଲଟିଛନ୍ତି ଦେଶର ବଡ ଆଶା ।
ବଡ ହେଲେ ଡ୍ୟାନ୍ସର ହେବି ନ ହେଲେ ମଡେଲ ହେବି । ପିଲାଟି ଦିନରୁ ଆୟୁଷିଙ୍କ ମନରେ ଥିଲା ଏଭଳି ଇଛା । ସେଥିପାଇଁ ସେ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି । ଶାସ୍ତ୍ରୀୟ ନୃତ୍ୟରେ ତାଲିମ ନେବା ସହିତ ମଡେଲିଂକୁ କରିଥିଲେ କ୍ୟାରିୟର ପାଇଁ ତିଆରି କରିଥିଲେ ପୋର୍ଟଫୋଲିଓ । କିନ୍ତୁ ତାଙ୍କର ଭାଗ୍ୟ ତାଙ୍କୁ ଅଲଗା ରାସ୍ତା ଦେଖାଇଥିଲା ।
ମଡେଲିଂ ଓ ଡ୍ୟାନ୍ସରର ସ୍ବପ୍ନ ଦେଖୁ ଦେଖୁ ସେ ନିଜ ଇଛା ନ ଥାଇ ସୁଟିଂରେ ନୂଆ କୀର୍ତ୍ତିମାନ ସ୍ଥାପନା କରି ନୂଆ ସମ୍ଭାବନା ସୃଷ୍ଟି କରିଥିଲେ । ପିତା ପଙ୍କଜ ପୋଦାରଙ୍କ ଇଛାରେ ଆୟୁଷି ସ୍ପୋର୍ଟ୍ସ ରାଇଫଲ ଉଠାଇଲେ ।
ସେତେବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ବୟସ । ଦିନରେ ସ୍କୁଲ ଯାଉଥିବା ବେଳେ ସଂଜରେ ରାଇଫଲ ଚାଳନା ପାଇଁ ନେଉଥିଲେ ପ୍ରଶିକ୍ଷଣ । ପିଲାଟି ଦିନରୁ ସେ ବୁଝିଥିଲେ ଯେ କଠିନ ପରିଶ୍ରମର ବିକଳ୍ପ ନାହିଁ । ୨୦୧୪ ରେ ଆୟୁଷି ରାଇଫଲ ଚାଳନା ପ୍ରତିଯୋଗିତାରେ ରାଜ୍ୟ ଚମ୍ପିୟାନ ହେଲେ । ଏହି ବିଜୟ ତାଙ୍କୁ ଜଣେ ପେଷାଦାର ରାଇଫଲ ସୁଟର ଭାବେ ତାଙ୍କୁ ଆଗକୁ ବାଟ କଢ଼ାଇ ନେଇଥିଲା ।
ସୁଟିଂ ମାନସିକ ଓ ଶାରୀରିକ ଭାବେ ଏକ କଠିନ ଖେଳ । ଅଲଗା ଅଲଗା ଦୂରତା ,ପ୍ରତ୍ୟେକ ଦୂରତା ପାଇଁ ଅଲଗା ଅଲଗା ରାଇଫଲ ଓ ଅଲଗା ଗୁଳି ବାରୂଦ । ଏବଂ ସବୁଠୁ ବଡ଼ କଥା ହେଉଛି ଏଥିପାଇଁ କଠିନ ପରିଶ୍ରମ ଓ ଅନୁଶାସନ । କିନ୍ତୁ ଆୟୁଷି ଆହ୍ବାନରୁ ହଟି ନ ଥିଲେ । ୧୦ ମିଟର ଓ ୫୦ ମିଟର ଦୂର ରେଞ୍ଜରୁ ଲକ୍ଷ ଭେଦି ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଏବେ ଆୟୁଷିଙ୍କ ଆଖିରେ ଏବେ ଆଗାମୀ ଅଲମ୍ପିକ । ଦେଶ ପାଇଁ ସେ ଏବେ ନୂଆ ଏକ ସମ୍ଭାବନା ।