ନାଁ ତାଙ୍କର ସୁପ୍ରିତି ସିଂ । ପରକୁ ଆପଣାର କରିବାର କଳା ତାଙ୍କୁ ଜଣା । ନିଜେ କଷ୍ଟ ସହି ଅନ୍ୟର ମୁହଁରେ ଖୁସି ଦେଖିବାକୁ ଚାହୁଁଥିବା ସୁପ୍ରିତି ନିଜ ନାଁ ର ସାର୍ଥକତା ରଖିଛନ୍ତି । ସୁପ୍ରିତିଙ୍କ ଘର ହୁଗୁଳୀର ରାଜଘାଟ ସନ୍ନିକଟ ବରୋଲ ଗାଁ । ପିଠିରେ ୫୦ କେଜି ଓଜନର ବ୍ୟାଗ ନେଇ ସୁପ୍ରିତି ସକାଳରୁ ରାତି ଯାଏଁ ସଡ଼କରେ ଦୌଡ଼ନ୍ତି । ସାହାରା କେବଳ ଗୋଟିଏ ବାଇକ । ତାଙ୍କର ଜୀବନ ସଂଘର୍ଷର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଦୁଇଟି ସନ୍ତାନ । ବଡ଼ ଝିଅ ମିଡିଲ ଶ୍ରେଣୀରେ ପଢ଼ୁଥିବା ବେଳେ ପୁଅ ଘରେ ତୃତୀୟ ଶ୍ରେଣୀରେ ପଢ଼ନ୍ତି । ଶାଶୁ ଓ ଶ୍ୱଶୁରଙ୍କ ବୟସ ଅଧିକ ହୋଇଯାଇଥିବା ବେଳେ ସ୍ବାମୀଙ୍କ ଅକାଳରେ ଘଟିଛି ମୃତ୍ୟୁ । ଶାଶୁ ଶ୍ୱଶୁର ଓ ପୁଅ ଝିଅଙ୍କ ପାଇଁ ସୁପ୍ରିତି ଦିନରାତି ଏକ କରି ମେହନତ କରୁଛନ୍ତି ।
ଦିଲ୍ଲୀ ରୋଡ଼ରେ ତାଙ୍କର ଏକ ଭାତ ହୋଟେଲ ଥିଲା । କରୋନା ପାଇଁ ପ୍ରାୟ ତିନିବର୍ଷ ହୋଟେଲ ଚାଲି ନ ପାରିବାରୁ ସେ ନିଜ ଘରେ ଏକ ତେଜରାତି ଦୋକାନ କରିଥିଲେ । ନୂଆକରି ବ୍ୟବସାୟରେ ପାଦ ଦେଇଥିବାରୁ ତେଜରାତି ଦୋକାନରେ କ୍ଷତି ହେଲା । ଶେଷରେ ସେ ଫ୍ଲିପକାର୍ଟରେ ଡେଲିଭରି ବଏ ଭାବେ ଯୋଗଦେଲେ । ଏବେ ସୁପ୍ରିତି ଘରକୁ ଘର ବୁଲି ଡେଲିଭରି ଦେଉଛନ୍ତି । ପର୍ବପର୍ବାଣି ସମୟରେ ଅଧିକ କାମ ଓ ପିଲାଙ୍କ ପାଇଁ ସମୟ ଦେଇପାରୁନଥିବାରୁ ସେ ଯେତିକି ଚିନ୍ତିତ ନୁହଁନ୍ତି ରୋଜଗାରକୁ ନେଇ ସେ ଅଧିକ ଚିନ୍ତିତ । ପରିବାରର ସମସ୍ତଙ୍କ ଖୁସି ପାଇଁ ଅଧିକ ଆୟ ପାଇଁ ଏବେ ବି ସେ ଅତିରିକ୍ତ ସମୟ ଶ୍ରମ କରୁଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ: ନିଆରା ଏକ ନୀରବ ବିଳ୍ପବ