• Saturday, September 21, 2024

କନ୍ଧମାଳର ପ୍ରଥମ ମହିଳା ମୋଚି ସୁନି ମେହର

Subhadra Live:Female-Cobbler-of-Kandhamal-Suni-Meher

କନ୍ଧମାଳ ଜିଲ୍ଲାର ଛୋଟ ଏକ ଗ୍ରାମୀଣ ସହର ଦାରିଙ୍ଗିବାଡ଼ି । ଏଠାରେ ବିଗତ ୧୫ ବର୍ଷ ଧରି ଫୁଟପାଥରେ ଜୋତା ପଲିସି ଓ ମରାମତି କାମରେ ନିୟୋଜିତ ଅଛନ୍ତି ୩୫ ବର୍ଷ ବୟସ୍କା ସୁନି ମେହର । ଜଣେ ମହିଳା ଏଭଳି ବୃତ୍ତିରେ ନିୟୋଜିତ ହେବାର ଇୟେ ହେଉଛି ପ୍ରଥମ ଓ ବିରଳ ଘଟଣା । ତେବେ  କିଏ ଏହି ସୁନି ମେହର ? କାହିଁକି ସେ ଖୋଲା ଆକାଶ ତଳେ ମୋଚି ବୃତ୍ତିରେ ଅଛନ୍ତି ?

ଖୋଲା ଆକାଶ ତଳେ ଜୀବିକାର ପସରା ମେଲିଛନ୍ତି ସୁନି ମେହର । ଜୋତା ପଲିସୀ ଓ ମରାମତି କରି ପୋଷୁଛନ୍ତି ପେଟ । ଜଣେ ମହିଳାଙ୍କୁ ଏଭଳି ବୃତ୍ତିରେ ଦେଖିବା ଅନେକଙ୍କ ପାଇଁ ନୁଆଁ ହୋଇପାରେ । କିନ୍ତୁ ବିଗତ ୧୫ ବର୍ଷ ଧରି ସୁନି ଏମିତି ଖୋଲା ଆକାଶ ତଳେ ଖରା ବର୍ଷା ଓ ଶୀତକୁ ପିଠି କରି ଜୀଉଁଛନ୍ତି ଜୀବନ । ରାସ୍ତାକଡ଼ର ନିର୍ଦିଷ୍ଟ ଏକ ସ୍ଥାନରେ ପ୍ରତିଦିନ ସକାଳ ୮ରୁ ସୁନି ମେହରଙ୍କ ଆରମ୍ଭ ହୁଏ ଦିନ । ଛିଣ୍ଡା ଚପଲ ଗୁଡିକର ସିଲେଇ ଓ ମଳିନ ପଡ଼ିଯାଇଥିବା ଜୋତା ଗୁଡିକୁ ପଲିସି କରି ଚମକ ଫେରାଇ ଆଣୁଥିବା  ସୁନିଙ୍କ ଜୀବନ କାହାଣୀ କିନ୍ତୁ ରଙ୍ଗହୀନ । ଦୁଇଟି ସନ୍ତାନଙ୍କୁ କୋଳରେ ଛାଡି ସ୍ୱାମୀ କୁଆଡେ ଚାଲିଗଲା । ପରପାରିକୁ ଚାଲିଗଲେ ବାପା । ଘରେ ରୁଗଣ ମା ଓ ଅର୍ଥାଭାବରୁ ନବମରୁ ପାଠ ଛାଡିଥିବା ପୁଅଙ୍କୁ ପୋଷିବା ପାଇଁ ସୁନି ବାପା କରୁଥିବା ଏଭଳି ବୃତ୍ତିକୁ ଗ୍ରହଣ କରିଥିବା କହନ୍ତି । ଦିନକୁ ୨୦୦ /୩୦୦ ଟଙ୍କା ରୋଜଗାର ହେଲେ ପରିବାର ଚାଲୁଥିବା  କହିଛନ୍ତି ସୁନି  ।

ଖୋଲା ଆକାଶ ତଳେ ଦିନସାରା ବୃତ୍ତି ନିର୍ବାହ କରୁଥିବା ସୁନିଙ୍କ ରାତ୍ରି ଯାପନ ମଧ୍ୟ ବିପଦପୂର୍ଣ୍ଣ । କେଇଖଣ୍ଡ ଟିଣ ଘେରାଯାଇ ତିଆରି ହୋଇଛି କାଂଥ ଓ ମୁଣ୍ଡ ଉପର ଛାଉଣୀ । ବଖୁରିକିଆ ଘର ଭିତରେ କାଠ ଚୁଲ୍ଲୀରେ ରୋଷେଇ ଆଉ ସେହିଠାରେ ହିଁ ବସାଉଠା । ସରକାରୀ ଆବାସ ଯୋଜନା ସୁନି ପାଇଁ ଅଛୁଆଁ ପାଲଟିଛି । ପାଞ୍ଚ କେଜି ଚାଉଳ ଦେଇ ସରକାର ନିଜ ଦାୟିତ୍ୱ ସାରିଦେଇଥିବା କହିଛନ୍ତି ସ୍ବେଛାସେବୀ  କାଳିପ୍ରସାଦ ମଲ୍ଲିକ । ସାମାଜିକ ସଂଗଠନ ଜାଗୃତିର ମୁଖ୍ୟ କୈଳାଶ ଦଣ୍ଡପାଟ କହନ୍ତି ସୁନି ଏକ ଉଦାହରଣ ମାତ୍ର । ଗାଁ ଗାଁ ରେ ସୁନିଙ୍କ ଭଳି ଛୋଟ ଛୋଟ ଉଦ୍ୟୋଗୀ ମାନଙ୍କୁ ସରକାରୀ ଯୋଜନା ପରିଧିକୁ ଆଣିବା ଦରକାର  । ସୁନିଙ୍କ ଭଳି ଅପାଠୁଆ  ଉଦ୍ୟୋଗୀ ମାନଙ୍କୁ ସରକାରୀ ଯୋଜନାରେ  ଯୋଡାଯାଇପାରିଲେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିବ  ।

ଅଧିକ ପଢ଼ନ୍ତୁ:

ଅଟୋ ଚଳାଇ ତିନି ଝିଅକୁ ମଣିଷ କରିଛନ୍ତି ଚେନ୍ନାଇର ମହିଳା ଡ୍ରାଇଭର ଏମ ପାର୍ବତୀ

ସାବତ ମା ଢାଳିଦେଲେ ଏସିଡ ;କିନ୍ତୁ ହାରି ନାହାନ୍ତି ରୁପା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.