• Saturday, September 21, 2024

ଦାଦନ ଶ୍ରମୀକରୁ ସଫଳ ଛତୁଚାଷୀ

Subhadra Live:From-Migrant-Labourer-To--A-Succesdsful-Mushroom-Cultivator

 ପିଲାଦିନୁ ପିତାମାତାଙ୍କୁ ହରାଇ ବେସାହାରା ପାଲଟିଥିବା କୁନୀତା ମାଝୀଙ୍କୁ ଛତୁ ଚାଷ ସ୍ୱାଭିମାନ ସହିତ ବଂଚିବାର ବାଟ ଦେଖାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବେଲଘର ଗାଁର ମଣ୍ଟୁ ମାଝୀଙ୍କୁ ବାହା ହେବା ପରେ କୁନୀତା ଭାବିଥିଲେ ଏବେ ହୁଏତ ଦୂର ହେବ ତାଙ୍କ ସଂସାରର ଦୁଃଖ । କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଇନଥିଲା । ଦାଦନ ଶ୍ରମିକ ଭାବେ ସ୍ବାମୀଙ୍କ ସହିତ ତାଙ୍କୁ ଯିବାକୁ ପଡିଥିଲା ପ୍ରବାସ । କୁନୀତା ଚାହୁଁଥିଲେ ପର ଦେଶରେ କାମ କରିବା ଅପେକ୍ଷା ନିଜ ମାଟିରେ କିଛି ଗୋଟେ କାମ କରି ସ୍ୱାବଲମ୍ବୀ ହେବାକୁ । ଏଥିପାଇଁ ସେ ସ୍ୱାମୀଙ୍କୁ ବାରମ୍ବାର ବୁଝାଇ ଥିଲେ ସୁଦ୍ଧା ପ୍ରତିଥର ସ୍ୱାମୀଙ୍କ ଗୋଟିଏ ଉତ୍ତର ଆମକୁ ଖାଇବାକୁ ଦେବ କିଏ ? ସବୁ କାମ ପାଇଁ ଅର୍ଥ ଆବଶ୍ୟକ ,ବିନା ଅର୍ଥରେ କେଉଁ ବ୍ୟବସାୟ ବା କରିହେବ । ଶାରୀରିକ ଶ୍ରମ କରି ଯାହା କିଛି ଆୟ ହେଉଥିଲା ତାହା ଖର୍ଚ୍ଚ ହୋଇଯାଉଥିବାରୁ ସଞ୍ଚୟ ହୋଇପାରୁନଥିଲା । ନୂଆଖାଇ ବେଳକୁ ଗାଁରେ ଥିଲେ ମଣ୍ଟୁ ଆଉ କୁନୀତା । ଶୁଣିଲେ ନିର୍ମାଣ ନାମକ ଏକ ସାମାଜିକ ସଂଗଠନ ଛତୁ ଚାଷ ପାଇଁ ତାଲିମ ଦେଉଛି । ତାଲିମ ପରେ ଋଣ ଦେବ ଓ ଛତୁଚାଷ କରିହେବ ବୋଲି ଜାଣିବା ପରେ କୁନୀତା କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ନେଇ ଗାଁରେ ଆରମ୍ଭ କଲେ କୁଟା ଓ ଧିଙ୍ଗିରି ଛତୁ ଚାଷ । ନିର୍ମାଣ ପକ୍ଷରୁ ଆର୍ଥିକ ସହାୟତାକୁ ପୁଞ୍ଜି କରି ସ୍ଥାନୀୟ ସମ୍ବଳର ବ୍ୟବହାରରେ ବାଉଁଶରେ ଭାଡ଼ି କରି ଆରମ୍ଭ ହେଲା ଛତୁ ଚାଷ । ପ୍ରଥମ କିଛି ମାସ ଲାଭ ନ ମିଳିଲେ ବି ହୋଇନଥିଲା କ୍ଷତି । କିନ୍ତୁ ସେ ଶିଖିଯାଇଥିଲେ ଛତୁ ଚାଷର କୌଶଳ । ଏବେ କୁନୀତାଙ୍କ ଛତୁ ଚାଷ ଦ୍ୱିତୀୟ ବର୍ଷରେ ପହଂଚିଛି । ବାହାର ରାଜ୍ୟରେ କଠିନ ଶାରୀରିକ ପରିଶ୍ରମ କରି ସେ ଯେତିକି ରୋଜଗାର କରୁଥିଲେ ଘରେ କମ ପରିଶ୍ରମରେ ଅଧିକ ଆୟ ତାଙ୍କୁ ମିଳୁଛି । ଛତୁ ଚାଷ ଜୀବିକା ଦେଉଛି ଜାଣିବା ପରେ ମଣ୍ଟୁ ଏବେ ପ୍ରବାସକୁ କାମ କରିବାକୁ ଯିବା ପରିବର୍ତ୍ତେ ପତ୍ନୀଙ୍କୁ ସହଯୋଗ କରି ଛତୁଚାଷକୁ ବଢାଇବାର ଯୋଜନା କରୁଛନ୍ତି ।

ଅଧିକ ପଢ଼ନ୍ତୁ :ଜୀବିକାରେ ସଫଳ ମହିଳା ମାଛଚାଷୀ ରାଇମଣି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.