ଏହି ସଫଳ କାହାଣୀ ଜଣେ ଅଧ୍ୟାପିକାଙ୍କର ଯିଏକି ରାଉରକେଲା ଏନ ଆଇ ଟିରେ ଇଂରାଜୀ ଭାଷା ପିଲାଙ୍କୁ ପଢ଼ାଇବା ସହିତ ଆଦିବାସୀ ପିଲାଙ୍କୁ ନିଜ ମାତୃଭାଷା ଶିଖିବାରେ କରୁଛନ୍ତି ସହଯୋଗ । ଏହି ଅଧ୍ୟାପିକା ଜଣଙ୍କ ହେଉଛନ୍ତି ସୀମିତା ମହାନ୍ତି । ସୀମିତା ବିଗତ ୨୭ ବର୍ଷ ଧରି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ଅତି ମେଧାବୀ ପିଲାଙ୍କୁ ଇଂରାଜୀ ଭାଷାରେ ଅଧ୍ୟାପନା କରି ଆସୁଛନ୍ତି । ନିକଟରେ ସୀମିତା ସାଦ୍ରୀ,ହୋ ,ସାନ୍ତାଳୀ .ମୁଣ୍ଡା ,ଖଡ଼ିଆ ଓ ଓରାମ ଆଦି ଆଦିବାସୀ ଭାଷାରେ ଭାଷା ଶିକ୍ଷା ଆରମ୍ଭ କରୁଥିବା ଆଦିବାସୀ ପିଲାଙ୍କ ପାଇଁ ଶବ୍ଦ ଓ ଛବିର ସମନ୍ୱୟରେ ଆସ ପଢିବା ଆମ ଭାଷା ପୁସ୍ତକ ରଚନା କରିଛନ୍ତି । ଆଦିବାସୀ ପିଲାଙ୍କ ଭାଷା ଶିକ୍ଷା ଦିଗରେ ଏହି ବହି ବେଶ ସହାୟତା କରିବ ବୋଲି ଅନେକ ଶିକ୍ଷାବିତ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଭାଷା ,ସଂସ୍କୁତି ,ଐତିହ୍ୟ ,ପରମ୍ପରା ଓ ସାମାଜିକ ଅଭ୍ୟାସକୁ ଆଧାର କରି ସୀମିତା ଅନେକ ଉପାଦେୟ ଲେଖା ପ୍ରକାଶ କରିଛନ୍ତି । ତେବେ ଇଂରାଜୀ ,ଓଡ଼ିଆ,ହିନ୍ଦୀ ବ୍ୟତୀତ ଅନ୍ୟ ୬ଟି ଆଦିବାସୀ ଭାଷାରେ ଆସ ପଢିବା ଆମ ଭାଷା ଅତ୍ୟନ୍ତ ଉପାଦେୟ ହୋଇଛି । ଏହି ବହିରେ ୩୭୬ ଶବ୍ଦ ସହିତ ଆନୁସଙ୍ଗିକ ଚିତ୍ର ରହିଛି ଯାହା ଆଦିବାସୀ ପିଲାଙ୍କୁ ମାତୃଭାଷା ଶିକ୍ଷା ପାଇଁ ଉତ୍ସାହିତ କରୁଛି । ଭାରତୀୟ ଭାଷା ସଂଗଠନର ଆଜୀବନ ସଦସ୍ୟ ଥିବା ସୀମିତା ଆଦିବାସୀ ଜନଜୀବନ ଉପରେ ଅନେକ ପୁସ୍ତକର ସଫଳ ଲେଖକ ଭାବେ ପରିଚିତି ସୃଷ୍ଟି କରିଛନ୍ତି । ତାଙ୍କର ୩୭ରୁ ଅଧିକ ସନ୍ଦର୍ଭ ପ୍ରକାଶିତ ହୋଇ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛି ।