ଖଣିକାମ ମହିଳାଙ୍କ ପାଇଁ ଅନୁପଯୁକ୍ତ ବୋଲି ଦିନେ କୁହାଯାଉଥିଲା ଏବେ ଏହି କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଅର୍ଜନ କରିଛନ୍ତି ମହିଳା । ଖମାମ ଜିଲ୍ଲାର ଜଣେ ୨୪ ବର୍ଷର ଯୁବତୀ ଅମାବତୀ ମୌନିକା ଧୂଳି ଓ ଅଣନିଶ୍ଵାସି ସଂକୀର୍ଣ୍ଣ ଖଣି ଭିତରେ ନିଜର ସାହାସିକତାର ପରିଚୟ ଦେଇ ପ୍ରଶଂଶାର ପାତ୍ରୀ ପାଲଟିଛନ୍ତି । ଅମାବତୀଙ୍କ ବାପା ଭେଙ୍କଡ ସତ୍ୟନାରାୟଣ ବୃତ୍ତିରେ ଜଣେ ଇଲେକ୍ଟ୍ରିସିଆନ । ତାଙ୍କର ଦୁଇଝିଅ । ବଡ଼ଝିଅ ହାଇଦ୍ରାବାଦରେ ଏକ ସଫ୍ଟୱେର ସଂସ୍ଥାରେ ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସାନ ଝିଅ ଅମାବତୀ ମଧ୍ୟ ସେହି ରାସ୍ତାରେ ଯାଉ ବୋଲି ପରିବାର ଲୋକଙ୍କ ଇଛା ଥିଲା । କିନ୍ତୁ ପିଲାଦିନରୁ ସାହସୀ ଅମାବତୀ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ବଦଳରେ ମାଇନିଂ ଇଂଜିନିୟରିଂରେ ପଢ଼ିବାର ଆଗ୍ରହ ଦେଖାଇଥିଲେ । ଝିଅମାନେ ଖଣି ଭଳି ବିପଦସଂଙ୍କୁଳ ପରିବେଶରେ କାମ ନ କରିବା ଉଚିତ ବୋଲି ବନ୍ଧୁ ଓ ପରିଜନ ମାନେ ପରାମର୍ଶ ଦେବାସତ୍ବେ ନିଜ ନିଷ୍ପତ୍ତିରୁ ଓହରି ନଥିଲେ ଅମାବତୀ । ଖମାମରୁ ମାଇନିଂ ଇଂଜିନିୟରିଂ ସରିବା ପରେ ସେ ନାଗପୁରରୁ ନେଇଥିଲେ ତାଲିମ । ତାଲିମ ବେଳେ ଖଣି ଭିତରେ ରହି କିଭଳି କାମ କରିବାକୁ ପଡେ ଅଳ୍ପେ ବହୁତେ ଜାଣିବାକୁ ମିଳିଥିଲା । ତାଲିମ ପରେ ସେ ଏସ ସି ସି ଏଲ ରେ ଯୋଗଦେଲେ । ସୀଙ୍ଗେରେନି କୋଲିୟାରୀ କମ୍ପାନୀ ଲିମିଟେଡ଼ର ୧୩୨ ବର୍ଷର ଇତିହାସରେ ଅମାବତୀ ହେଉଛନ୍ତି ଏକମାତ୍ର ମହିଳା ଇଂଜିନିୟର ଯିଏକି ଗଭୀର ଖନନ ସମୟରେ ଦେଖାଇଛନ୍ତି ଅପୂର୍ବ ସାହସ । ଧୈର୍ଯ୍ୟ ଓ ଦୃଢ ସଂକଳ୍ପକୁ ପ୍ରଦର୍ଶିତ କରି ଆସିଥିବା ଅମାବତୀ ମୌନିକାକୁ କମ୍ପାନୀ ପକ୍ଷରୁ କରାଯାଇଛି ସମ୍ବର୍ଦ୍ଧିତ ।