ଯେଉଁ ଝିଅ ଜନ୍ମ ହେବା ପରେ ଶାଶୁ ଶ୍ୱଶୁର ଘରୁ ତଡ଼ିଦେଇଥିଲେ ,ସେହି ଝିଅକୁ ଅଫିସର କରାଇ ମା ନେଲା ନୀରବ ପ୍ରତିଶୋଧ । ସମାଜକୁ ଦୃଢତାର ସହିତ ସୂଚାଇ ଦେଲେ ଝିଅ ବି କିଛି କମ ନୁହଁ । ବେବି ସରକାରଙ୍କ ଏ କାହାଣୀ ଅନେକଙ୍କ ଆଖିକୁ ଲୁହ ଆଣିଦେବ । ଯେତେବେଳେ ବେବି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ସେତେବେଳେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଘରୁ ବାହାର କରିଦେଲେ । ସେହି କଠିନ ସମୟରେ ତାଙ୍କୁ ମିଳିଲାନି ସ୍ବାମୀଙ୍କ ସହଯୋଗ । କଅଁଳା ଛୁଆ ଓ ନିଜର ଅନିଶ୍ଚିତ ଭବିଷ୍ୟତ ନେଇ ବେବି ଅଗତ୍ୟା ନିଜ ବାପା ଘରକୁ ଫେରିଲେ । ଆରମ୍ଭ ହେଲା ଜୀବନ ସହିତ ରୀତିମତ ସଂଘର୍ଷ । ଦୀର୍ଘ ବର୍ଷର ସଂଘର୍ଷ ପରେ ଏବେ ଯେଉଁ ଝିଅ ପାଇଁ ସେ ଶାଶୁ ଘରୁ ତଡା ଖାଇଥିଲେ ସେହି ଝିଅ ବଡ଼ ହୋଇ ଆସାମ ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟରେ ଅଷ୍ଟମ ସ୍ଥାନ ରଖି ମାଙ୍କ ହୃଦୟରେ ଭରିଛନ୍ତି ଶୀତଳତା ।
ଆସାମର ଶ୍ରୀଭୂମି ଜିଲ୍ଲା । ଯାହାକି ପୂର୍ବରୁ କରିମଗଂଜ ନାଁରେ ଥିଲା ପରିଚିତ । ଶ୍ରୀଭୂମି ଜିଲ୍ଲାର ବାସିନ୍ଦା ବେବି ସରକାର ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ଶାଶୁଘର ଲୋକେ ରଖିଥିଲେ ଏକ ଅଜବ ସର୍ତ୍ତ । ଯଦି ପୁତ୍ର ସନ୍ତାନ ଜନ୍ମ ହେବ ତେବେ ଘରେ ମିଳିବ ସ୍ଥାନ ଅନ୍ୟଥା ଘର ଛାଡି ଚାଲିଯିବାକୁ ହେବ ବୋଲି ଶୁଣାଇଦେଇଥିଲେ ଶାଶୁ । ପୂର୍ବରୁ ବେବିଙ୍କ ଚାରି ବଡ଼ ଯା ଓ ଦେଢଶୁର ମାନଙ୍କ କନ୍ୟା ସନ୍ତାନ ହିଁ ଜନ୍ମ ହୋଇଥିଲା । ଏଭଳି ଅଜବ ସର୍ତ୍ତ ବେବିଙ୍କ ପାଦତଳୁ ମାଟି ଖସାଇ ଦେଇଥିଲା । କିନ୍ତୁ ସ୍ବାମୀଙ୍କ ପକ୍ଷରୁ କୌଣସି ସମର୍ଥନ ମିଳିନଥିଲା । ଯେଉଁ ଆଶଙ୍କା ଥିଲା ତାହା ସତ ହେଲା । ବେବି କନ୍ୟାସନ୍ତାନ ଜନ୍ମ ଦେଲେ । ଝିଅର ନାଁ ଦିଆଗଲା ଦୀକ୍ଷା । ଦୀକ୍ଷାଙ୍କ ଦରୋଟି ହସ ଓ କଅଁଳ ମୁହଁଙ୍କୁ ଅଣଦେଖା କଲେ ପରିବାର । ଝିଅ ଜନ୍ମ ଦେଇଥିବାରୁ ବେବିଙ୍କ ଉପରେ ଆରମ୍ଭ ହେଲା ନିର୍ଯ୍ୟାତନା ।ଘର ଛାଡିବା ପାଇଁ ବାଧ୍ୟ କରାଯିବା ପରେ ସେ ତିନିମାସର ଝିଅକୁ ଧରି ବାପଘରକୁ ଫେରିଲେ । ବାପ ଘରେ ଆର୍ଥିକ ଅବସ୍ଥା ଭଲ ନଥିଲା । ପର ଘରେ କାମ କରିବା ସହିତ ଅଙ୍ଗନବାଡି କର୍ମୀ ଭାବେ ଯୋଗଦେଇ କରୁଥିବା ଆୟରେ ଝିଅକୁ ପଢ଼ାଇଲେ । ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ପରେ ଦୀକ୍ଷା ଆସାମ ସିଭିଲ ସର୍ଭିସ ପରୀକ୍ଷା ଦେଇ ସଫଳ ହୋଇଛନ୍ତି । ତାଙ୍କୁ ମିଳିଛି ଅଷ୍ଟମ ରାଙ୍କ । ଦୀକ୍ଷା କହନ୍ତି ମୁଁ ଆଜି ଯେଉଁଠି ପହଂଚିଛି ତାହା କେବଳ ସମ୍ଭବ ହୋଇଛି ମାଙ୍କ ତ୍ୟାଗ ଓ କଠିନ ପରିଶ୍ରମ କାରଣରୁ । ବେବି କହନ୍ତି ଝିଅଙ୍କୁ ସ୍ନେହ ,ସାହାଯ୍ୟ ଓ ସମ୍ମାନ ଦିଅନ୍ତୁ ସେମାନେ ପୁଅଠୁ ଅଧିକ ଦାୟିତ୍ୱ ନେଇପାରିବେ ।