ସୁମିତ୍ରା ମହାକୁର । ୨୬ ବର୍ଷର ଏହି ଯୁବତୀ ରହନ୍ତି ସମ୍ବଲପୁର ସହରର ଭୁପଡାରେ । ସ୍ଥାନୀୟ କଲେଜରେ ସ୍ନାତ୍ତକ ସହିତ ତାଳ ଦେଇ ସମ୍ବଲପୁରୀ ଶାଢ଼ୀ ପାଇଁ ଡିଜାଇନ କରି ସ୍ୱାବଲମ୍ବୀ ହୋଇଛନ୍ତି । ନିକଟରେ ତାଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ରାକ୍ଷୀ ପଶ୍ଚିମ ଓଡ଼ିଶାର ୫ ଟି ଜିଲ୍ଲାରେ ଭଲ କାରବାର କରିଥିବା ବେଳେ ୬ଟି ରାଜ୍ୟର ବଜାରରେ ପହଂଚି ପ୍ରଶଂସା ଓ ଚାହିଦା ପାଇଛି ।ନିଜର ଆଗ୍ରହ ଓ ସୃଜନଶୀଳତାକୁ ଆଧାର କରି ସୁମିତ୍ରା ସମ୍ବଲପୁରୀ ବ୍ରାଣ୍ଡ ଓ ଫେବ୍ରିକକୁ ପ୍ରସାର ପାଇଁ ପ୍ରୟାସ କରି ବ୍ୟବସାୟିକ ଫାଇଦା ପାଇଛନ୍ତି । କୋଭିଡ ସମୟରେ ସମ୍ବଲପୁରୀ କପଡାରେ ବିଭିନ୍ନ ବର୍ଗର ପୁରୁଷ ,ମହିଳା ଓ ଶିଶୁ ମାନଙ୍କ ପାଇଁ ମାସ୍କ ତିଆରି କରି ସେ ମାସକୁ ୬୦ ରୁ ୮୦ ହଜାର ଯାଏଁ ରୋଜଗାର କରିଛନ୍ତି ।

ଓରମାସ ପକ୍ଷରୁ ସୁମିତ୍ରାଙ୍କୁ ମାଷ୍ଟର ଟ୍ରେନର ଭାବେ ନିୟୋଜିତ କରାଯାଇ ମହିଳା ମାନଙ୍କୁ ପୋଷାକ ,ମାସ୍କ ,ରାକ୍ଷୀ ତିଆରି ପ୍ରଶିକ୍ଷଣ ର ଆୟୋଜନ କରାଯାଇଥିଲା । ସମ୍ବଲପୁର ଆଖପାଖର ସ୍ୱୟଂ ସହାୟକ ଦଳର ସଭ୍ୟା ମାନଙ୍କୁ ସୁମିତ୍ରା ମାସ୍କ ତିଆରି ଓ ରାକ୍ଷୀ ତିଆରି ତାଲିମ ଦେଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ନିୟୋଜିତ କରାଇ ଉତ୍ପାଦନ ଆରମ୍ଭ କରିଥିଲେ । ଚଳିତ ବର୍ଷ ସୁମିତ୍ରା ଓ ତାଙ୍କର ସହଯୋଗୀ ମାନେ ୩୦୦୦ ରୁ ଅଧିକ ରାକ୍ଷୀ ତିଆରି କରି ବରଗଡ଼,ସୋନପୁର ,ବଲାଙ୍ଗୀର,ରାଉରକେଲା ,ସୁନ୍ଦରଗଡ଼ ଓ ଝାରସୁଗୁଡା ବଜାରରେ ଗୋଟି ପ୍ରତି ୨୦ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ବିକ୍ରୀକରିଛନ୍ତି । ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ହେବା ଫଳରେ ଏଭଳି ରାକ୍ଷୀ ବାଙ୍ଗାଲୋର ,କୋଲକାତା ,ମୁମ୍ବାଇ,ରାୟପୁର ,ବିଳାସପୁର ,ଓ ଜାମସେଦପୁର ଅଞ୍ଚଳରେ ଅନଲାଇନ ବଜାର ପାଇଛି । ୨୦୧୪ରୁ ସିଲେଇ ଶିଖି ଏଭଳି ବୃତ୍ତିରେ ପାଦଦେଇଥିବା ସୁମିତ୍ରା ଆଗାମୀ ଦିନରେ ସମ୍ବଲପୁରୀ ହ୍ୟାଣ୍ଡଲୁମକୁ ଗ୍ଲୋବାଲ ମାର୍କେଟରେ ପହଞ୍ଚାଇବାର ସ୍ବପ୍ନ ଦେଖୁଛନ୍ତି ।
ଅଧିକ ପଢନ୍ତୁ :
ରାକ୍ଷୀ ଦେଖାଇଛି ରୋଜଗାରର ରାସ୍ତା
ଫ୍ଲିପକାର୍ଟରେ କାମ କରି ପୋଷୁଛନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ