• Saturday, September 21, 2024

ଅପାସୋରା ପତୋରା

Subhadra Live:Potara-Dam-In-Nuapada
ନୂଆପଡା : 15/12/2022

ହିମ ହିଲ୍ଲୋଳର ବିମାନରେ ଆସିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ସ୍ଥଳ ଗୁଡିକରେ ଜମିଲାଣି ଭିଡ଼ । ପ୍ରକୃତିର ନୈସର୍ଗିକ ସୁଷମା ଭିତରେ ଥିବା ନୂଆପଡା ଜିଲ୍ଲାର ପତୋରା ଡ୍ୟାମରେ ଦେଖିବାକୁ ମିଳିଛି ବଣଭୋଜି ସାଙ୍ଗକୁ ମଜାମସ୍ତି ଓ ବୁଲାବୁଲିର ଆସର । ଏଠାକୁ ଆସିଥିବା ପର୍ଯ୍ୟଟକ କହନ୍ତି ପତୋରାର ସ୍ମୃତି ଓ ଅନୁଭବ ଆମପାଇଁ ରହିବ ଚିରକାଳ ଅପାସୋରା ।

ଲାଗିଛି ଗାଡି । ଜମିଛି ଭିଡ଼ । ଚାଲିଛି ଭୋଜିଭାତ ସାଙ୍ଗକୁ ପୂଜାପାଠ ,ନାଚଗୀତ ଓ ମଜାମସ୍ତିର ଆସର । ଏବେ ବିଗତ କିଛିଦିନ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାର ପତୋରା ଡ୍ୟାମ ଓ ସନ୍ନିକଟ ରାଜୀବ ଉଦ୍ୟାନ ତଥା  ପ୍ରସିଦ୍ଧ ଯୋଗେଶ୍ୱର ଶିବ ମନ୍ଦିର ନିକଟରେ । କିଏ ଦଳବାନ୍ଧି ଏଠାକୁ ବଣଭୋଜି ପାଇଁ ଆସିଛନ୍ତି ତ କିଏ ନିଜ ସହପାଠୀଙ୍କ ମେଳରେ ଆସିଛନ୍ତି ଷ୍ଟଡି ଟୁରରେ । ଆଉ କିଏ ଆସିଛନ୍ତି ଏଠାରେ ଥିବା ବାବା ଯୋଗେଶ୍ୱର ମହାଦେବ ମନ୍ଦିରକୁ ମାନସିକ ପୂରଣ ପାଇଁ । ଜନଗହଳି ଠାରୁ ଦୂରରେ ଅତ୍ୟନ୍ତ ମନୋରମ ପରିବେଶ ମଧ୍ୟରେ ଥିବା ପତୋରା ଆଗନ୍ତୁକଙ୍କୁ ମାନସିକ ଶାନ୍ତି ସହିତ ଦେଇଛି ଅପାସୋରା ଅନୁଭୂତି ।

ନୂଆପଡା ଠାରୁ ୧୮କିଲୋମିଟର ଦୂରରେ ରହିଛି ପତୋରା ଡ୍ୟାମ । ଚାରିପଟେ ସବୁଜ ପାହାଡ଼ ଓ ମଝିରେ ନୀଲାଭ ଜଳଭଣ୍ଡାର ପର୍ଯ୍ୟଟକଙ୍କୁ କରିଥାଏ ଆନମନା । ଜୋଙ୍କନଦୀ ଉପରେ ଏହି ଜଳଭଣ୍ଡାର ନିର୍ମାଣ ସମୟରେ ମିଳିଥିଲା  ମାରାଗୁଡା ସଭ୍ୟତାର ପ୍ରାଚୀନ ଶିବଲିଙ୍ଗ । ଡ୍ୟାମ ନିର୍ମାଣ ପରେ  ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ସେଠାରେ ଶିବଲିଙ୍ଗ ଓ ମୂର୍ତ୍ତିଙ୍କୁ ସଂସ୍ଥାପିତ କରାଯାଇଛି । ଯୋଗେଶ୍ୱର ମନ୍ଦିର ଭାବେ ଏହାର ରହିଛି ଖ୍ୟାତି ।ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ପଡୋଶୀ ଛତିଶଗଡ଼ ଅଂଚଳରୁ ବହୁ ଭକ୍ତ ତଥା ପ୍ରକୃତି ପ୍ରେମୀ ଏଠାକୁ ଆକର୍ଷିତ ହୋଇ ଆସିଥାନ୍ତି । ଗୋଟିଏ ପଟେ ପତୋରା ଡ୍ୟାମର ମନୋରମ ନୀଲାଭ ଜଳରାଶି  ଅନ୍ୟପଟେ ବିଶାଳ ଶୈବ ମନ୍ଦିର ତଥା ରାଜୀବ ଉଦ୍ୟାନର ଶୋଭା ସାଙ୍ଗକୁ ସବୁଜିମା ଭରା ପରିବେଶ ହରଣ କରିଥାଏ ପର୍ଯ୍ୟଟକଙ୍କ କ୍ଲାନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.