• Saturday, September 21, 2024

ସୁଶୀଳାଙ୍କ ମଥାରେ ଛିଡ଼ିପଡ଼ିଛି ଆକାଶ

Subhadra Live:Sushila-Das-from-Jajpur-is-struggling-to-make-ends-meet

ଆଖିରେ ନଦୀ ଭଳି ଲୁହର ବନ୍ୟା । ଏକାକାର ହୋଇଛି କୋହ । କୋହ ଆଉ ଲୁହକୁ ସାଥ କରି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗାଁର ସୁଶୀଳା ଦାସଙ୍କ ଚାଲିଛି ଜୀବନ ସହିତ ସଂଘର୍ଷ । ଥରି ଉଠୁଥିବା ହାତରେ ସ୍ୱାମୀଙ୍କ ଫଟୋକୁ ବାରମ୍ବାର ଆଉଁଶି ସୁଶୀଳା ନିଜ ସ୍ମୃତିକୁ ଅଣ୍ଡାଳି ହେଉଛନ୍ତି । ଦିନେ ତାଙ୍କର ମଧ୍ୟ ଥିଲା ଏକ ସୁଖର ସଂସାର । ବଡ଼ ପୁଅ ମୁମ୍ବାଇରେ ଚାକିରୀ କରୁଥିବା ବେଳେ ଘରେ ସାନପୁଅ ,ଝିଅ ଓ ସ୍ୱାମୀଙ୍କୁ ନେଇ ଥିଲା ସୁଶୀଳାଙ୍କ ଆଖିରେ ଆଖିଏ ସ୍ବପ୍ନ । ହେଲେ ସୁଖ ତାଙ୍କ ଜୀବନରେ କଡ଼ ଲେଉଟାଉଥିବା  ବେଳେ ଅଚାନକ ଭାଙ୍ଗିଯାଇଥିଲା ଦୁଃଖର ନିଦ । ମାଟ୍ରିକ ପରୀକ୍ଷା ଦେଇଥିବା ସାନ ପୁଅ ଘରୁ ନିଖୋଜ ହୋଇଯିବା ବେଳେ ମୁମ୍ବାଇରେ ଚାକିରୀ କରୁଥିବା ବଡ଼ପୁଅ ହୃଦଘାତରେ ଆଖି ବୁଜିଦେଇଥିଲା । ପିଲାଙ୍କୁ ଝୁରି ସୁଶୀଳାଙ୍କ ସ୍ୱାମୀ ପରମେଶ୍ଵରଙ୍କ ପରଲୋକ ଘଟିଥିବା ବେଳେ ଝିଅ ପାଲଟିଥିଲା ମାନସିକ ରୋଗୀ । ଏବେ ସୁଶୀଳାଙ୍କ ଜୀବନରେ ଦୁଃଖ ପରେ ଦୁଃଖ ଲେଖା ଥିବା ବେଳେ ସରୁ ନାହିଁ ତାଙ୍କର ଜୀବନ ସଂଘର୍ଷ ।

ମୁଣ୍ଡ ଗୁଞ୍ଜିବାକୁ ସୁଶୀଳାଙ୍କ ନାହିଁ ଭଲ ଏକ ଘର । ଘର ଭିତରର କାନ୍ଥ ଫାଟି ଆଁ କରିଥିବା ବେଳେ ଭୁଶୁଡି ପଡିଛି ଘର ବାହାରର ଆଉ ଏକ କାନ୍ଥ । ଯେଉଁ କାନ୍ଥ ଫାଟିଛି ବର୍ଷା ହେଲେ ପାଣି ଗଳୁଥିବାରୁ ରହିବା ଉପଯୋଗୀ ହେଉନି । ଘର ଭିତରେ ନାନା ପ୍ରକାର ଜୀବଜନ୍ତୁ ରହୁଥିବା ବେଳେ କିଛି ଅଂଶରେ ପଲିଥିନ ଢାଙ୍କି  ମାନସିକ ବିକାରଗ୍ରସ୍ତ ଅବିବାହିତା ଝିଅକୁ ଧରି ପଡିରହିଛନ୍ତି ସୁଶୀଳା । ସୁଶୀଳାଙ୍କ ପାଇଁ ସରକାରୀ ସହାୟତା କହିଲେ ୫୦୦ ଟଙ୍କାର ଭତ୍ତା ଓ ଖାଦ୍ୟ ସୁରକ୍ଷାରେ କେଇ କେଜି ଚାଉଳ । ପ୍ରତିବର୍ଷ ଇନ୍ଦିରା ଆବାସ ସୂଚୀରେ ସୁଶୀଳାଙ୍କ ନାଁ ବାହାରୁଛି । ହେଲେ ପରେ କେଜାଣି କାହିଁକି କଟିଯାଉଛି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢ଼ନ୍ତୁ: ହାରିନାହାନ୍ତି ୬ ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମାନସୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.