• Saturday, April 19, 2025

ତାଇୱାନ ତରଭୁଜ ଚାଷରେ ସଫଳ ମହିଳା

Subhadra Live:Taiwan-Watermelon-Farming-give-success-to-Women-as-Farmer

 ମୟୁରଭଞ୍ଜ ଜିଲ୍ଲାରେ ଜୀବିକାର ଆଶା ଦେଖାଇଛି  ତାଇୱାନ ତରଭୁଜ । ବଡ଼ସାହି ବ୍ଲକ ଦାନ୍ତିଆମୁହାଁ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକର ଏକର ଜମିରେ ହୋଇଛି ଋତୁକାଳୀନ ଏହି ବିଦେଶୀ ଫଳ । ସ୍ଥାନୀୟ ଖଡି଼ଗୋଳ ପଂଚାୟତ କୁଣ୍ଡେଇ ଗାଁର ବାସିନ୍ଦା ତୃତୀୟ ବର୍ଷ ପାଇଁ କରିଛନ୍ତି ବିଦେଶୀ ପ୍ରଜାତିର ତରଭୁଜ ଚାଷ । ଡିସେମ୍ବର ମାସରେ ହୋଇଥିବା ଏହି ଚାଷ ଆଗାମୀ ମାର୍ଚ୍ଚରେ ଅମଳ ଦେବ । ଯଦି ପାଗଯୋଗ ଠିକ ରହିବ ଓ କୁଆପଥର ବର୍ଷା ନ ହେବ ତେବେ ଏକ ଏକର ଜମିରୁ ମିଳିପାରିବ ଲକ୍ଷେ ଟଙ୍କାର ଲାଭ । ଅଧିକ ମିଠା ଓ ସୁଆଦିଆ ହୋଇଥିବାରୁ ସ୍ଥାନୀୟ ଚାଷୀ ତାଇୱାନ ତରଭୁଜ ଚାଷକୁ ଦେଇଛନ୍ତି ପ୍ରାଥମିକତା । ଅଧିକାଂଶ ଚାଷୀ ଆରୋହୀ ,ସରସ୍ବତୀ ଓ ବିଶାଲା ପ୍ରଜାତିର ତରଭୁଜ ଚାଷ କରିଛନ୍ତି । ଧାନ ଅମଳ ପରେ ଦ୍ୱିତୀୟ ଚାଷ ଭାବେ ଏହାକୁ ନିଆଯାଇଛି । ସରସ୍ବତୀ ପ୍ରଜାତିର ତରଭୁଜର ଭିତର ଅଂଶ ହଳଦିଆ । ହଳଦିଆ ତରଭୁଜ ଅଧିକ ସୁଆଦିଆ ହୋଇଥିବାରୁ ଖାଉଟିଙ୍କ ମଧ୍ୟରେ ରହିଛି ଦୁର୍ବଳତା । ମୟୁରଭଞ୍ଜ ମାଟିରେ ଭଲ ଅମଳ ଦେଉଥିବାରୁ ଜିଲ୍ଲାରେ ବଢ଼ିବାରେ ଲାଗିଛି ତରଭୁଜ ଚାଷୀଙ୍କ ସଂଖ୍ୟା । ଅନେକ ମହିଳା ଚାଷୀ ଏଥିରେ ଯୋଡି ହୋଇଛନ୍ତି । ଗାଁର ପ୍ରଭାତୀ ମହନ୍ତ ନିଜର ଏକ ଏକର ଜମିରେ କରିଛନ୍ତି ହଳଦିଆ ତରଭୁଜ ଚାଷ । ହଲ ,ବିହନ ,ଜଳସେଚନ ଖର୍ଚ୍ଚ ସହିତ ସେ ମୋଟ ୪୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ୪ ମାସ ଅବଧିର ଏହି ଚାଷ ଶେଷରେ ସେ ଅନ୍ୟୁନ ଲକ୍ଷେ ଟଙ୍କା ଲାଭ ପାଇବେ ।

ଋତୁକାଳୀନ ତରଭୁଜ ଚାଷ ଚାଷୀଙ୍କ ପାଇଁ ହୋଇଛି ଲାଭଦାୟକ । ଏକ ଏକର ଜମିରେ ଏହି ପ୍ରଜାତିର ତରଭୁଜ ଚାଷ ପାଇଁ ସମୁଦାୟ ୫୦ ହଜାର ଖର୍ଚ୍ଚ ହେଉଥିବା ବେଳେ ମିଳୁଛି ଦେଢ଼ଲକ୍ଷ ଟଙ୍କାର ଫସଲ । ତାଇୱାନରୁ ଭାୟା ପୁନେ ଦେଇ ମୟୁରଭଞ୍ଜରେ ପହଂଚିଛି  ବିହନ । କେଜି ପ୍ରତି ଏହି ବିହନର ମୂଲ୍ୟ ୮୦  ହଜାର ହୋଇଥିବା ସତ୍ୱେ ଏହା ଚାଷୀଙ୍କୁ ସୁହାଉଛି । ହଳ ଠାରୁ ଅମଳ ଯାଏଁ ବିଭିନ୍ନ ପ୍ରକ୍ରିୟାରେ ଚାଷୀଙ୍କୁ ସହଯୋଗର ହାତ ବଢ଼ିଛି ନୁନୟୁସିଡି ପ୍ରାଇଭେଟ ଲିମିଟେଡ଼ କମ୍ପାନୀ । କମ୍ପାନୀର କ୍ଷେତ୍ର ଅଧିକାରୀ ତପନ ଦାସଙ୍କ ମାର୍ଗଦର୍ଶନରେ ଏହି ପ୍ରଜାତିର ତରଭୁଜ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା ବାନ୍ଧିଛନ୍ତି ଚାଷୀ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.