ତାମିଲନାଡୁର ବକିଂହାମ କେନାଲ ନିକଟରେ ପ୍ରାୟତଃ ତାଙ୍କୁ ଦେଖିବାକୁ ମିଳେ । ଏକ ବୁଡ଼ାଳି ଗ୍ରୀବେ ପକ୍ଷୀ ଭଳି, ଗଭୀର ପାଣିରେ ତାଙ୍କର ବୁଡ଼ିବା ଓ ପହଁରିବାରେ ନିପୁଣତା ଅନେକଙ୍କୁ ଅବାକ କରେ । ସେ ଖୁବ୍ ଦ୍ରୁତ ଗତିରେ ନଈ କୂଳର ରୁକ୍ଷ ବାଲିରେ ହାତ ବୁଲାଇ ଆଣନ୍ତି ଏବଂ ଅନ୍ୟ ମାନଙ୍କ ତୁଳନାରେ ଅତିଶୀଘ୍ର ଚିଙ୍ଗୁଡ଼ିଗୁଡ଼ିକୁ ଧରି ନେଇଥାନ୍ତି । ମାଛଧରାର ଏହି ପାରମ୍ପରିକ କଳାରେ ଧୂରିଣ ହେଉଛନ୍ତି ଗୋବିନ୍ଦାମ୍ମା ଭେଲୁ ।
ଗୋବିନ୍ଦାମ୍ମା ଭେଲୁ ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ଭାବେ ବର୍ଗୀକୃତ ଇରୁଲ ସମ୍ପ୍ରଦାୟର ଅଟନ୍ତି । ଛୋଟ ଝିଅ ଥିବା ସମୟରେ ଚେନ୍ନାଇର କୋସାସ୍ତାଲାୟାର ନଦୀରେ ସେ ଚିଙ୍ଗୁଡ଼ି ଧରୁଥିଲେ । ଏବେ ୭୦ ବର୍ଷ ବୟସ ଟପି ସାରିବା ପରେ ତାଙ୍କର ଆଖିକୁ ଦେଖାଯାଉନି ଓ ଶାରୀରିକ ଯନ୍ତ୍ରଣା ସହ ସଂଘର୍ଷ କରୁଥିବା ସତ୍ତ୍ୱେ ସେ ଘରର ଆର୍ଥିକ ଦୁରବସ୍ଥା କାରଣରୁ ଗଭୀର ପାଣିରେ ପଶି ମାଛ ଧରିବାକୁ ବାଧ୍ୟ ହେଉଛନ୍ତି । ଚେନ୍ନାଇର ଉତ୍ତର ଭାଗରେ ଥିବା କୋସାସ୍ତାଲାୟର ନଦୀ ନିକଟବର୍ତ୍ତୀ ବକିଂହାମ କେନାଲରେ ସେ ନିୟମିତ ମାଛ ଧରନ୍ତି । ଏଗୁଡ଼ିକୁ ଆଖପାଖରେ ବିକ୍ରି କରି ସେ ଦିନକୁ ୨୦୦ ଟଙ୍କା ରୋଜଗାର କରନ୍ତି ।
ଏବେ ତାଙ୍କ ଆଖିକୁ ଝାପ୍ସା ଦେଖାଯାଉଛି । ନଈ ପର୍ଯ୍ୟନ୍ତ ଯିବା ଆସିବା କରିବାରେ ସମସ୍ୟା ଭୋଗନ୍ତି ଗୋବିନ୍ଦାମ୍ମା ।
ନିଜର ଦୁଃଖ ବଖାଣି ସେ କହନ୍ତି “ଟ୍ରେନ୍ ଓ ଅଟୋରେ ମୁଁ ନିଜେ ବସି ପାରେନା । ଏଥିପାଇଁ ଅନ୍ୟର ସହାୟତା ଦରକାର ହୁଏ ।
ନଈ ପର୍ଯ୍ୟନ୍ତ ଯିବା ଲାଗି ଦିନକୁ ଅତି କମ୍ରେ ୫୦ ଟଙ୍କା ଲୋଡ଼ା ହୁଏ । “ଚିଙ୍ଗୁଡ଼ି ବିକି ମୁଁ ଦିନକୁ ମାତ୍ର ୨୦୦ ଟଙ୍କା ରୋଜଗାର କରୁଥିବା ବେଳେ ଏତେ ଟଙ୍କା ଖର୍ଚ୍ଚ କଲେ ମୁଁ କେମିତି ବଞ୍ଚିବି,” ସେ କହନ୍ତି । କେବେ କେମିତି ସେ ଦିନକୁ ୫୦୦ ଟଙ୍କା ବି ରୋଜଗାର କରନ୍ତି । କିନ୍ତୁ ଅଧିକାଂଶ ଦିନରେ ସେ ଅତି କଷ୍ଟରେ ୧୦୦ ଟଙ୍କା ପାଆନ୍ତି ଏବଂ ବେଳେବେଳେ କିଛି ହେଲେ ପାଆନ୍ତି ନାହିଁ । ଗୋବିନ୍ଦାମ୍ମ କହନ୍ତି ଯେଉଁ ଦିନ କିଛି ମିଳେ ନାହିଁ ସେଦିନ ବହୁତ ଦୁଃଖ ଓ ହତାଶ ଅନୁଭବ ହୁଏ ।
ଯେଉଁ ଦିନ ସକାଳେ ନଈରେ ଖୁବ୍ ବେଶୀ ଜୁଆର ଥାଏ, ରାତିରେ ଜଳସ୍ତର କମିବା ପରେ ହିଁ ଗୋବିନ୍ଦାମ୍ମା ତାଙ୍କ ଚିଙ୍ଗୁଡ଼ିଧରା ଜାଗାକୁ ଯାଆନ୍ତି । ଆଖିକୁ ଭଲ ଦେଖାଯାଉ ନଥିଲେ ମଧ୍ୟ ଅନ୍ଧାରରେ ଚିଙ୍ଗୁଡ଼ି ଧରିବା ତାଙ୍କୁ ସହଜ ମନେହୁଏ । ହେଲେ ପାଣିରେ ଥିବା ସାପ, ଏବଂ ଧୂସର ରଙ୍ଗର ମାଗୁର ମାଛ କୁ ସେ ଭୟ କରନ୍ତି । ସେ କହନ୍ତି, “ମୁଁ ଠିକ୍ରେ ଦେଖିପାରେନାହିଁ...ମୁଁ ଜାଣେନି ମୋ ପାଦରେ କ’ଣ ବାଜୁଛି...ଏଇଟା ସାପ ନା ଜାଲ ।” ଜୀବନ ବଞ୍ଚାଇବା ପାଇଁ ଗୋବିନ୍ଦାମ୍ମାଙ୍କୁ ଜୀବନ ବ୍ୟାପି ଜାଲରେ ପଶିବାକୁ ହୋଇଛି ।
ମାଛ ଓ ଚିଙ୍ଗୁଡ଼ି ଧରିବାର ପାରମ୍ପରିକ କଲା ତାଙ୍କୁ ଜୀବିକା ଦେଇଛି ।
ଦିନରେ ୫ ଘଣ୍ଟା ପାଣିରେ ବୁଡି ସେ ଯେଉଁ ୨୦୦ ଟଙ୍କା ରୋଜଗାର କରି ଆଣନ୍ତି ତାର ଅଧା ପଇସା ଅଟୋରେ ଚାଲିଯାଏ ।
ଆଉ ଅଧା ପଇସା ତେଲ ଲୁଣରେ ଚାଲିଯାଏ । ସେ ଜାଣନ୍ତି ନାହିଁ ହଠାତ ଯଦି କିଛି ବିପଦ ଆସିବ ତେବେ କୁଆଡୁ ଆଣିବେ ଖର୍ଚ୍ଚ ।