ଯୁଦ୍ଧ ଭୁଇଁରେ ସେମାନଙ୍କ ପିତା ଦୁନିଆକୁ କହିଛନ୍ତି ଅଲବିଦା । ପ୍ରତିବର୍ଷ ପରି ସେ ବର୍ଷ ଘରକୁ ଫେରି ଦୁଇ ଝିଅଙ୍କୁ ପଢାଇପାରି ନାହାନ୍ତି ଗଣିତ । ଡିସେମ୍ବର ଆସିଲେ ଏବେ ବି ବାପାଙ୍କୁ ଝୁରନ୍ତି କାର୍ଗିଲ ସହିଦ ମେଜର ସି ବି ଦୀକ୍ଷିତଙ୍କ ଦୁଇ ଝିଅ ନେହା ଓ ଦୀକ୍ଷା । ସେମାନଙ୍କ ପିତା ଯୁଦ୍ଧ ଭୁଇଁରେ ଯେଭଳି ଅଦମ୍ୟ ସାହସ ଦେଖାଇଥିଲେ ଜୀବନ ଯୁଦ୍ଧରେ ସେଭଳି ଯୋଦ୍ଧା ଭଳି ଲଢ଼ିଛନ୍ତି ଭାରତୀୟ ସେନାର ଲଢୁଆ ଏହି ମେଜରଙ୍କ ଦୁଇ ଝିଅ ନେହା ଦୀକ୍ଷିତ ଓ ଦୀକ୍ଷା ଦୀକ୍ଷିତ । ନେହା ଓ ଦୀକ୍ଷା ୧୨ ଓ ୮ ବର୍ଷ ବୟସର ହୋଇଥିବା ବେଳେ ଭାରତୀୟ ସେନା ବାହିନୀରେ ମେଜର ଥିବା ସେମାନଙ୍କ ପିତା କାରଗିଲ ଯୁଦ୍ଧରେ ହୋଇଯାଇଥିଲେ ଶହୀଦ । ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧକୁ ୨୫ ବର୍ଷ ହୋଇଥିବା ବେଳେ ଏହି ଦୁଇ ଝିଅଙ୍କ ସ୍ମୃତି କ୍ଷତ ରହିଛି ସତେଜ । ନେହା କହନ୍ତି ସେତେବେଳକୁ ‘‘ମୁଁ ୧୨ ବର୍ଷର ହୋଇଥିଲି। ମୋ ସାନଭଉଣୀ ଦୀକ୍ଷା ମାତ୍ର ୮ ବର୍ଷର ହୋଇଥିଲା। ହଟାତ ମୋତେ କେହି ଜଣେ କହିଲେ ବେଟା ତୁମ ବାପା ସହିଦ ହୋଇଗଲେ । ବାପା ସି.ବି ଦୀକ୍ଷିତ ୩୧୫ ରେଜିମେଣ୍ଟର ମେଜର୍ ଥିଲେ । ପାକିସ୍ଥାନୀ ସେନାଙ୍କ ସହିତ ମୁହାଁମୁହିଁ ଯୁଦ୍ଧରେ ସହିଦ ହୋଇଗଲେ ଶୁଣିବା ପରେ ମା ମୋର ନିର୍ବାକ ହୋଇଗଲେ । ପିତାଙ୍କ ପରଲୋକ ହେବାର ବର୍ଷେ ପରେ ମୋ ମା’ ପରପାରିକୁ ଚାଲିଗଲେ । ପିତା ମାତାଙ୍କୁ ହରାଇ ଆମେ ଦୁଇ ଭଉଣୀ ଯେତେବେଳେ ଅସହାୟ ହୋଇଯାଇଥିଲୁ ସେତେବେଳେ ପରିବାର ଭଳି ସେନା ଆମ ପାଖରେ ଠିଆ ହୋଇଥିଲା ।
ଅତୀତକୁ ମନେ ପକାଇ ନେହା କହନ୍ତି ଆମ ପରୀକ୍ଷା ସମୟରେ ବାପା ସବୁବେଳେ ଛୁଟି ନେଇ ଘରକୁ ଆସୁଥିଲେ ଏବଂ ଆମକୁ ଗଣିତ ପଢ଼ାଉଥିଲେ । ୧୯୯୯ରେ ବର୍ଷ ସରିବାକୁ ବସିଥିଲା । ମୁଣ୍ଡ ଉପରେ ଥିଲା ପରୀକ୍ଷା । ଆମେ ଭାବିଥିଲୁ ବାପା ଆସିବେ, କିନ୍ତୁ ବାପା ଆସି ନ ଥିଲେ । ବରଂ ଆମେ ବାପାଙ୍କ ନିକଟକୁ ଯାଇଥିଲୁ ତାଙ୍କର ପାର୍ଥିବ ଶରୀରକୁ ଆଣିବାକୁ । ଗୋଟିଏ ବିମାନରେ ଭାରତୀୟ ତ୍ରିରଙ୍ଗା ଢଙ୍କା ଯାଇଥିବା ବାପାଙ୍କର ପାର୍ଥିବ ଶରୀର ସହିତ ଆମେମାନେ ଥିଲୁ । ଏହାଠାରୁ ବଳି ଆଉ ଅଧିକ ଦୁଃଖ ଜୀବନରେ କ’ଣ ହୋଇପାରେ? ଆମେ କିନ୍ତୁ ଭାରତୀୟ ସେନାର ସାହାଯ୍ୟ ଓ ସହଯୋଗରେ ମଣିଷ ହୋଇ ସମାଜରେ ସମ୍ମାନର ସହ ଛିଡ଼ା ହୋଇପାରିଛୁ। ଭାରତୀୟ ସେନାବାହିନୀ ପାଇଁ ଆମେ ଗର୍ବିତ।’’ଜିବନର ପ୍ରତିଟି କ୍ଷେତ୍ରରେ ଆମ ଦୁଇ ଭଉଣୀଙ୍କୁ ମିଳିଛି ସରକାର ଓ ସେନାର ସହଯୋଗ । ମନ ଭିତରେ ଥିବା ସକରାତ୍ମକ ବିଚାର ଓ ଦୃଢ ଆତ୍ମବଳ ସହିତ ଆମେ ଏଠି ଆସି ପହଞ୍ଚିଛୁ ବୋଲି କହିଛନ୍ତି ଜୀବନ ଯୁଦ୍ଧର ଅନ୍ୟତମ ଲଢୁଆ ଝିଅ ନେହା ଦୀକ୍ଷିତ ।