ତାମିଲନାଡୁର ଥୁଡୁକୁଡି ଠାରେ ରହିଛି ରାଜ୍ୟର ସବୁଠୁ ବଡ଼ ଲୁଣ କ୍ଷେତ । ଏହା ୨୫ ହଜାର ଏକର ଜମିରେ ବିସ୍ତୃତ । ଏଥିରେ ବର୍ଷରେ ୬ ମାସ ହୋଇଥାଏ ଲୁଣ ଉତ୍ପାଦନ । ବର୍ଷ ବର୍ଷ ଧରି ଆଖପାଖର ଶ୍ରମିକ ମାନେ ଏହି କ୍ଷେତରେ କଠିନ ପରିଶ୍ରମ କରି ରୋଜଗାର କରିଥାନ୍ତି ସାମାନ୍ୟ ପାରିଶ୍ରମିକ । ଏହି ଲୁଣ ଶ୍ରମିକଙ୍କ ମଧ୍ୟରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ବିଗତ ୫୦ ବର୍ଷ ହେଲା ଖାଦ୍ୟରେ ସ୍ୱାଦ ଭରୁଥିବା ଉପାଦାନ ତିଆରି କରୁଥିଲେହେଁ ମୁଠାଏ ଖାଦ୍ୟ ଯୋଗାଡ଼ ପାଇଁ ଲୁଣିଆ ସ୍ବେଦ ନିଗାଡନ୍ତି । ଏହି ମହିଳାଙ୍କ ନାଁ ହେଉଛି ଏସ ରାଣୀ । ସେ ତାଙ୍କର ପିତା ଓ ସ୍ୱାମୀଙ୍କ ପରି ଏହି ବିଶାଳ ଲୁଣ କ୍ଷେତର ଜଣେ ସାମାନ୍ୟ ଶ୍ରମିକ ।
ରାଣୀଙ୍କ ପ୍ରଥମ ବେତନ ଥିଲା ଦିନକୁ ୧.୨୫ଟଙ୍କା । ତାହା ହେଉଛି ୫୨ବର୍ଷ ତଳର କଥା, ଯେତେବେଳେ ତାଙ୍କୁ ଆଠ ବର୍ଷ ବୟସ ହୋଇଥିଲା ଆଉ ସେ ଏକ ଲମ୍ବା ସ୍କର୍ଟ ପିନ୍ଧି କିଆରିରେ ଅକ୍ଳାନ୍ତ ପରିଶ୍ରମ କରୁଥିଲେ । ଆନ୍ଥୋନି ସାମି ମଧ୍ୟ ତାଙ୍କର ପ୍ରଥମ ପାଉଣା କଥା ମନେପକାନ୍ତି; ସେ ତାଙ୍କର ପ୍ରଥମ ରୋଜଗାର ଭାବେ ପାଉଥିଲେ ଏକ ଟଙ୍କା ୭୫ ପଇସା ଯାହା କିଛି ବର୍ଷ ପରେ ୨୧ଟଙ୍କାକୁ ବୃଦ୍ଧି ପାଇଥିଲା । ଦଶନ୍ଧି ଦଶନ୍ଧି ଧରି ଶ୍ରମିକମାନେ ସଂଘର୍ଷ କରିବା ପରେ, ଆଜି, ମହିଳାମାନଙ୍କୁ ୩୯୫ଟଙ୍କା ଓ ପୁରୁଷମାନଙ୍କୁ ୪୦୫ଟଙ୍କା ଦୈନିକ ମଜୁରି ପ୍ରଦାନ କରାଯାଉଛି । କିନ୍ତୁ ଜୀବିକାର ବିକଳ୍ପ ନଥିବାରୁ ଏହି ଲୁଣ କିଆରୀ ହିଁ ଜୀବିକାର ମୁଖ୍ୟ ଉତ୍ସ ରାଣୀଙ୍କ ପାଇଁ ।
ସେ କାମ କରୁଥିବା ଚାରିକୋଣିଆ ଜମିର ନିମ୍ନଭାଗକୁ ରାମ୍ପି, କ୍ଷଣିକେ ଶୁଖିଲା , କ୍ଷଣିକେ ପଚ୍ ପଚ୍ ହେଉଥିବା ମାଟି ଉପରେ ଚାଲିଚାଲି, ସେ ଧଳା ଦାନାଗୁଡ଼ିକୁ ଗୋଟିଏ ପାଖରେ ଗଦା କରନ୍ତି । ଆଉ,ମଧ୍ୟାହ୍ନ ଯାଏଁ ସେଠାରେ ଏଭଳି ଅବିରତ କାମ କରନ୍ତି ।
ମାର୍ଚ୍ଚରୁ ଅକ୍ଟୋବର ମଧ୍ୟ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଏହି ଜିଲ୍ଲାର ଜଳବାୟୁ ଉତ୍ତପ୍ତ ଓ ଶୁଷ୍କ ରହୁଥିବାରୁ ଲୁଣ ଉତ୍ପାଦନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ, ଯେଉଁଠାରେ ଛଅ ମାସ ପର୍ଯ୍ୟନ୍ତ ନିରନ୍ତର ଉତ୍ପାଦନର ନିଶ୍ଚିତତା ରହିଛି । ରାଣୀ ନିଜର ଶକ୍ତି ଥିବା ଯାଏଁ କାମ କରୁଥିବେ ବୋଲି କହନ୍ତି।