ହରି ଚନ୍ଦନା ଦିଶାରୀ ଜଣେ ଯୁବା ଆଇଏଏସ ଅଧିକାରୀ । ୨୦୧୦ ମସିହାରେ ଦ୍ୱିତୀୟ ପ୍ରୟାସରେ ସେ ୟୁପିଏସସିରେ ପାଇଥିଲେ ସଫଳତା । ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରେ ପଢିଥିବା ଚନ୍ଦନା ନିଜ ପିତାଙ୍କ ପରି ଆଇ ଏ ଏସ ହେବାର ସ୍ବପ୍ନ ଦେଖିଥିଲେ । ପିତାଙ୍କ ରାସ୍ତାରେ ଅନୁସରଣ ପାଇଁ ସେ ଲଣ୍ଡନରେ କରୁଥିବା ଏକ ଭଲ ଚାକିରୀକୁ ପ୍ରତ୍ୟାଖାନ କରି ନିଜ ଜନ୍ମମାଟି ତେଲେଙ୍ଗାନା ଫେରିଥିଲେ । ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ଧୈର୍ଯ୍ୟ ନ ହରାଇ ନିଷ୍ଠାପର ଉଦ୍ୟମ ଜାରି ରଖି ପରେ ପାଇଥିଲେ ସଫଳତା ।
ହରି ଚନ୍ଦନା ସମ୍ପ୍ରତି ହାଇଦ୍ରାବାଦର ଜଏଣ୍ଟ କଲେକ୍ଟର ଭାବେ ଅବସ୍ଥାପିତ ଅଛନ୍ତି । ପଛୁଆ ଓ ଦଳିତଙ୍କ ଆର୍ଥିକ ଉନ୍ନତି ଦିଗରେ ପ୍ରସଂଶନୀୟ ଉଦ୍ୟମ କରିଛନ୍ତି । ସର୍ବସାଧାରଣ ସେବାରେ ଉକୃଷ୍ଟ ଅବଦାନ ପାଇଁ ତାଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ପୁରସ୍କାର । ଚନ୍ଦନା ହାଇଦ୍ରାବାଦରେ ସ୍କୁଲ ଶିକ୍ଷା ପରେ ସେଣ୍ଟ ଏମ୍ସ କଲେଜରେ କରିଥିଲେ ଗ୍ରାଜୁଏସନ । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଶିକ୍ଷା ଗ୍ରହଣ କରି ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରେ ଅଧ୍ୟୟନ ପରେ ସେଠାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ମୋଟା ପ୍ୟାକେଜର ମିଳିଯାଇଥିଲା ନିଯୁକ୍ତି। କିନ୍ତୁ ସେ ଚାହୁଁଥିଲେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ସର୍ବସାଧାରଣ ଜୀବନ ସହିତ ଯୋଡି ହୋଇ ରହିବେ । ହାଇଦ୍ରାବାଦ ଫେରି ସେ ପ୍ରସ୍ତୁତି ଆରମ୍ଭ କଲେ ଓ ସଫଳତା ପାଇବା ପରେ ଏହି ବୃତ୍ତିର ଗରିମା ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରି ପ୍ରସଂଶିତ ହେବାରେ ଲାଗିଲେ । ଏବେ ଏହି ମହିଳା ଅଧିକାରୀ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
ଅଧିକ ପଢନ୍ତୁ: ଝିଅ ଜନ୍ମହେଲେ ସ୍ୱାଗତ କରନ୍ତୁ ଅଭିଯାନର ଅଗ୍ରଦୂତ ଡାକ୍ତର ସୁଧା କଙ୍କରିଆ